Latest Odisha News

ବିଶ୍ୱର ପ୍ରଥମ ସହର ଯେଉଁଠି ଆମିଷ ଖାଦ୍ୟ ବେଆଇନ୍ 

ଭାବନଗର: ଗୁଜରାଟର ଏକ ଛୋଟ ସହର ପଲିତାନା । ଭାବନଗର ଜିଲ୍ଲାରେ ଥିବା ପଲିତାନା ସହର ଏବେ ଇତିହାସ ସୃଷ୍ଟି କରିଛି । ବିଶ୍ୱର ପ୍ରଥମ ସହର ହୋଇଛି ପଲିତାନା, ଯେଉଁଠି ଆମିଷ ଖାଦ୍ୟକୁ ବେଆଇନ୍ ଘୋଷଣା କରାଯାଇଛି । ଏକ ଐତିହାସିକ ନିଷ୍ପତ୍ତି ଦ୍ୱାରା ପଲିତାନାରେ ମାଂସ ପାଇଁ ପଶୁପକ୍ଷୀ ହତ୍ୟା, ମାଂସ ବିକ୍ରି ଓ ମାଂସ ଖାଇବା ସଂପୂର୍ଣ୍ଣ ବେଆଇନ୍ ଘୋଷିତ ହୋଇଛି । ନିୟମ ଭାଙ୍ଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ।

ପଲିତାନା ହେଉଛି ଜୈନ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ତୀର୍ଥ ସ୍ଥଳ । ଏଠାରେ ଜୈନଧର୍ମର ଲୋକେ ବସବାସ କରନ୍ତି । କିଛି ଦିନ ତଳେ ପ୍ରାୟ ୨୦୦ ଜୈନ ସନ୍ୟାସୀ ସହରରେ ଥିବା ୨୫୦ କଂସେଇ ଖାନା ବନ୍ଦ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୈନ ସନ୍ୟାସୀଙ୍କ ବିକ୍ଷୋଭ ପରେ ପଲିତାନାରେ ସମସ୍ତ ମାଂସ ଦୋକାନକୁ ବନ୍ଦ କରାଯିବା ସହ ଆମିଷ ଖାଦ୍ୟକୁ ବେଆଇନ୍ ଘୋଷଣା କରାଯାଇଛି । ସର୍ବସାଧାରଣରେ ଜମା ବିକ୍ରି ହୋଇପାରିବ ନାହିଁ ଆମିଷ ।

ପଲିତାନାରେ ତ ଆମିଷ ଖାଦ୍ୟ ବ୍ୟାନ୍ । ଗୁଜରାଟର ଆଉ କିଛି ସହରରେ ଆମିଷ ଖାଦ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ସର୍ବସାଧାରଣ ସ୍ଥାନରେ ଆମିଷ ଖାଦ୍ୟ ବିକିବା ଉପରେ ଜାରି ହୋଇଛି କଟକଣା । ରାଜକୋଟ, ବରୋଦା, ଜୁନାଗଡ ଓ ଅହମ୍ମଦାବାଦରେ ମଧ୍ୟ ଆମିଷ ଖାଦ୍ୟ ବିକ୍ରି ନିୟନ୍ତ୍ରିତ ହୋଇଛି । ସର୍ବସାଧାରଣରେ ଖୋଲାଖୋଲି ମାଂସ ଓ ଆମିଷ ଖାଦ୍ୟ ବିକ୍ରି ଲୋକଙ୍କ ଭାବନାକୁ ଆଘାତ ଦେବା ସହ ନକାରାତ୍ମକ ପ୍ରଭାବ ପକାଇବ ବୋଲି ନିରାମିଷ ପ୍ରେମୀଙ୍କ ଯୁକ୍ତି ।

ଗୁଜରାଟରେ ଆମିଷ ଖାଦ୍ୟ ଉପରେ କଟକଣା ନୂଆ କଥା ନୁହେଁ । ରାଜ୍ୟର ସଂଖ୍ୟାଗରିଷ୍ଠ ହିନ୍ଦୁ ଅଛନ୍ତି । ଏମାନଙ୍କ ମଧ୍ୟପ ବୈଷ୍ଣବ ସଂପ୍ରଦାୟର ଲୋକେ ଜମା ଆମିଷ ଖାଆନ୍ତି ନାହିଁ । ହିନ୍ଦୁ ବୈଷ୍ଣବ ସଂସ୍କୃତିର ପ୍ରସାର ହୋଇଥିବାରୁ ଗୁଜରାଟରେ ନିରାମିଷ ଖାଦ୍ୟର ପ୍ରଚଳନ ରହିଆସିଛି । ଏପରିକି ନିରାମିଷାଶୀ ମହାତ୍ମା ଗାନ୍ଧିଙ୍କ ପ୍ରଭାବ ମଧ୍ୟ ଗୁଜରାଟରେ ପଡିଛି ।

ଗୁଜରାଟରେ ବସବାସ କରୁଥିବା ଜୈନ ଧର୍ମର ଲୋକେ ବି ଆମିଷ ଖାଆନ୍ତି । ପଲିତାନା ଏକ ଜୈନବହୁଳ ସହର । ଏଠାରେ ରହିଛି ଅନେକ ଜୈନ ମନ୍ଦିର । ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଜୈନ ଧର୍ମାବଲମ୍ବୀ ତୀର୍ଥ ପାଇଁ ଆସନ୍ତି । ତେଣୁ ପଲିତାନାକୁ ଜୈନ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ଏଭଳି ଏକ ପବିତ୍ର ସହରରେ ଆମିଷ ଖାଦ୍ୟ ବିକ୍ରି ହେବା ଜୈନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ବୋଲି ମତ ପ୍ରକାଶ ପାଇଥିଲା । ତେଣୁ ପଲିତାନାରେ ଆମିଷ ଖାଦ୍ୟ ବିକ୍ରିକୁ ସଂପୂର୍ଣ୍ଣ ବେଆଇନ ଘୋଷଣା କରାଯାଇଛି ।

Comments are closed.