Latest Odisha News

BREAKING NEWS

ପ୍ରସ୍ତୁତ ହେଲା ବିଶ୍ବର ସବୁଠୁ ବଡ ଓ ଛୋଟ ରାକ୍ଷୀ, ଲମ୍ବ ପ୍ରାୟ ୧୦୦୦ଫୁଟ ଓ ଏକ ମିଲି ମିଟର

ଭୋପାଲ: ଭାଇ-ଭଉଣୀ ମଧ୍ୟରେ ସ୍ନେହ ପ୍ରେମ ଶ୍ରଦ୍ଧାର ପବିତ୍ର ପର୍ବ ହେଉଛି ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ଆସିଲେ ବଜାରଘାଟରେ ଭିନ୍ନ ଭିନ୍ନ ପ୍ରକାର ଆକର୍ଷଣୀୟ ମନଲୋଭା ରାକ୍ଷୀର ପସରା ମେଲେ । ଚଳିତ ବର୍ଷ ମଧ୍ୟ ସେଭଳି ଆକର୍ଷଣୀୟ ରାକ୍ଷୀ ସହିତ କିଛି ଆଚମ୍ବିତ କଲାଭଳି ରାକ୍ଷୀ ଦେଖିବାକୁ ମିଳିଛି । ଏଥର ବିଶ୍ବର ସବୁଠୁ ବଡ ଓ ସବୁଠୁ ସୂକ୍ଷ୍ମ ରାକ୍ଷୀ ପ୍ରସ୍ତୁତ ହୋଇଛି, ଯାହାକି ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରିଛି ।

ରାଜସ୍ଥାନର ପ୍ରସିଦ୍ଧ କାରିଗର ଇକବାଲ ସକ୍କା ରାକ୍ଷୀ ବନ୍ଧନ ଅବସରରେ ଦୁନିଆର ସବୁଠୁ ସୂକ୍ଷ୍ମ ରାକ୍ଷୀ ପ୍ରସ୍ତୁତ କରିଛନ୍ତି, ଯାହାର ଲମ୍ବ ମାତ୍ର ଏକ ମିଲି ମିଟର । ଏହି ରାକ୍ଷୀ ପବନ ଠାରୁ ବି ହାଲୁକା । ଏହାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିଲା । ରାକ୍ଷୀଟି ଏତେ ଛୋଟ ଯେ, ଏହାର କଳାକୃତି ଦେଖିବାକୁ ହେଲେ ଲେନ୍ସର ସହାୟତା ନେବାକୁ ପଡୁଛି । ପୂର୍ବରୁ ନିଜର ଏଭଳି ଅଦ୍ଭୁତପୂର୍ବ କଳାକୃତି ପାଇ ଇକବାଲ ୧୦୦ଟି ୱାର୍ଲ୍ଡ ରେକର୍ଡ ନିଜ ନାମର କରିସାରିଛନ୍ତି । ଏବେ ପୁଣିଥରେ ରାକ୍ଷୀରେ ନିଜର ଚମତ୍କାର କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ ଉକ୍ତ ରାକ୍ଷୀକୁ ଇନ୍ଦୋର ଖଜରାନା ସ୍ଥିତ ଗଣେଶ ମନ୍ଦିରରେ ପ୍ରଭୁ ଗଣେଶଙ୍କ ହାତରେ ବାନ୍ଧିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ଏକ ପତ୍ର ଲେଖିଛନ୍ତି ଇକବାଲ ।

ସେହିପରି ମଧ୍ୟପ୍ରଦେଶର ଅଶୋକ ଭରଦ୍ବାଜ ନାମକ ଜଣେ ବିଜେପି ନେତା ତଥା ସାମାଜିକ କର୍ମୀ ଚଳିତ ବର୍ଷ ବିଶ୍ବର ସବୁଠୁ ବଡ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ତାଙ୍କର ଏହି କଳାକୃତି ଏବେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଏବଂ ଓଏମଜି ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ଆଜି ସେ ଏହି ରାକ୍ଷୀକୁ ସର୍ବସାଧାରଣ ପାଇଁ ଉନ୍ମୋଚନ କରିବେ । ଭରଦ୍ବାଜଙ୍କ ଦ୍ବାରା ପ୍ରସ୍ତୁତ ଏହି ରାକ୍ଷୀର ଲମ୍ବ ପ୍ରାୟ ୧୦୦୦ ଫୁଟ ରହିଛି । ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସହିତ ବିଶ୍ବର ୫ଟି ପ୍ରମୁଖ ରେକର୍ଡ କିପିଂ ସଂଗଠନ ଏହି ନିଆରା କଳାକୃତିକୁ ଅନୁମୋଦନ କରିବେ । ଆଜି ଠାରୁ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଏହାକୁ ରଖାଯିବ ।

ତେବେ ଅଶୋକ ଭରଦ୍ବାଜଙ୍କ ଦ୍ବାରା ପ୍ରସ୍ତୁତ ବିଶ୍ବର ସବୁଠୁ ବଡ ରାକ୍ଷୀ ଓ ଇକବାଲଙ୍କ ଦ୍ଵାରା ପ୍ରସ୍ତୁତ ବିଶ୍ଵର ସବୁଠାରୁ ଛୋଟ ରାକ୍ଷୀ ଖଜରାନା ଗଣେଶ ମନ୍ଦିରରେ ଅର୍ପିତ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.