ଉଦଳା: ମେଡିକାଲରେ ମିଳୁଛି ପୋକରା ଔଷଧ। ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଛି ପୋକ। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବେଗୁନିଆଡିହା ଅଂଚଳରୁ। ବେଗୁନିଆ ଡିହା ଗ୍ରାମର ରାଜା ହେମ୍ବ୍ରମଙ୍କ ୯ ବର୍ଷ ନାବାଳକ ପୁଅଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ଯେଉଁଥି ପାଇଁ ଗତ ୮ ତାରିଖ ସେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ।
ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଔଷଧ ଖାଉଥିଲେ। ହେଲେ ତିନି ଦିନ ପରେ ଅଚାନକ ସକାଳୁ ଔଷଧ ଖାଇବା ସମୟରେ ଆଣ୍ଟିଵାୟୋଟିକ ଔଷଧ ସିଲ ଖୋଲି ବଟିକା ବାହାର କରିଥିଲେ। କିନ୍ତୁ ସିଲ ଭିତରୁ ବାହାରିଥିଲା ପୋକ। ଏପରିକି ବଟିକାରେ ଗାତ ମଧ୍ୟ ହୋଇଯାଇଥିଲା। ଯାହା ଦେଖିବା ପରେ ପରିବାର ଲୋକେ ଔଷଧ ଖାଇବାକୁ ବାରଣ କରିଥିଲେ ଏବଂ ସେବେଠାରୁ ତାଙ୍କର ଔଷଧ ଖାଇବା ବନ୍ଦ ହୋଇଛି। ତେବେ ଏଭଳି ପୋକରା ଔଷଧ ନିରାମୟ କେନ୍ଦ୍ରରୁ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।