Latest Odisha News

BREAKING NEWS

କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥ ସଂସ୍କୃତି ଭବନ ପରିସରରେ , ୨୦୨୦ ମସିହା ପାଇଁ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟର ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ସହ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ ତଥା ସାଧିକା , ଯଥା – ରାସେଶ୍ୱରୀ ମିଶ୍ର, ମହେଶ୍ୱର ମୂଳିଆ, ଜୀବନକୃଷ୍ଣ ମହାପାତ୍ର, ନିର୍ମଳପ୍ରଭା ନାୟକ, ରାଧାବିନୋଦ ନାୟକ, କୃପାସିନ୍ଧୁ ନାୟକ, ସ୍ୱରାଜ୍ୟଲକ୍ଷ୍ମୀ ମିଶ୍ର, ବାଇଧର ସାହୁ, ଦିଗରାଜ ବ୍ରହ୍ମା, ବାବାଜୀ ଚରଣ ପଟନାୟକ, ଗିରିଜା ଶଂକର ଶର୍ମା, ସୌଭାଗିନୀ ମିଶ୍ର, ଦେବେନ୍ଦ୍ର କୁମାର ଦାଶ, ଅଶୋକ କୁମାର ପଟନାୟକ, ରୁଦ୍ରନାରାୟଣ ପୃଷ୍ଟିଙ୍କୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ୫ ଲକ୍ଷ ଟଙ୍କା ମାନରାଶି ଏବଂ ୧୫ ଜଣ ସାରସ୍ୱତ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମାନରାଶି ସହିତ ତାମ୍ରଫଳକ ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ,ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଉଦ୍‌ଘାଟକ, ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରବୋଧ କୁମାର ରାଉତ ସମ୍ପାଦକୀୟ ବକ୍ତବ୍ୟ ଉପସ୍ଥାପନ କରିବା ସହ ଅତିବଡ଼ୀ ସମ୍ମାନ ଓ ସମ୍ବର୍ଦ୍ଧିତ ପ୍ରତିଭାଧର ତଥା ମଞ୍ଚାସୀନ ବରେଣ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ । ସ୍ନେହଲତା ପୃଷ୍ଟି ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଏକାଡେମୀର ଉପସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.