Latest Odisha News

ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ବାଲେଶ୍ୱର ନିକଟରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ୟଶ୍’ । ବାଲେଶ୍ୱର ନିକଟବର୍ତ୍ତୀ କୌଣସି ସ୍ଥାନରେ କରିପାରେ ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗର ତାଜା ଆକଳ ଅନୁଯାୟୀ ବାତ୍ୟା ‘ୟଶ୍’ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ଭୋର୍ ସମୟରେ ବାତ୍ୟା ‘ୟଶ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁ ମଧ୍ୟାହ୍ନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଇ ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ବାତ୍ୟା ‘ୟଶ୍’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାର ଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପାରାଦୀପ ଠାରୁ ୫୨୦ ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି । ଏହା ଆାଗମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଯାଇ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ । ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ।

 

ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୫ କିଲୋମିଟର ରହିବ । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।

Comments are closed.