ମୟୂରଭଞ୍ଜ: ବାଘୁଣୀ ଜିନ୍ନତ ପରେ ଏବେ ଶିମିଳିପାଳ ସୀମା ଡେଇଁଛି ବାଘଣୀ ଯମୁନା । ଗତ ୮ ଦିନ ହେଲା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡ ଜଙ୍ଗଲରେ ରହୁଥିବା ବେଳେ ରବିବାର ରାତିରେ ଯମୁନା ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ୱର ଜିଲା କୁଲଡ଼ିହା ଅଭୟାରଣ୍ୟକୁ ପଳାଇଛି ।
ତେବେ ବାଘୁଣୀ ଯମୁନାର ସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯିବ ନାହିଁ । ହେଲେ ସେମାନେ ଖୁବଶୀଘ୍ର ଫେରିବେ ବୋଲି କହିଛି ବନ ବିଭାଗ । ତଥାପି ଜିନ୍ନତ ଓ ଯମୁନାଙ୍କୁ ଟ୍ରାକିଂରେ ରଖାଯାଇଛି ବୋଲି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି ।
ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିଥିଲା ୨ ବର୍ଷର ଜିନ୍ନତ । କିଛି ଦିନ କ୍ୱାରେଣ୍ଟିନ୍ରେ ରହିବା ପରେ ଶିମିଳିପାଳର କୋର ଏରିଆକୁ ଯାଇଥିଲା । କିଛି ଦିନ ଶିମିଳିପାଳ ଅଭାୟରଣ୍ୟରେ ଘୁରି ବୁଲିଥିଲା । ଶିକାର କରି ମଧ୍ୟ ଖାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଜିନ୍ନତ ଶିମିଳିପାଳ ଅଭୟାରଣ୍ୟ ଛାଡ଼ି ଝାଡଖଣ୍ଡ ଜଙ୍ଗଲକୁ ପଳାଇ ଯାଇଥିଲା । ବର୍ତ୍ତମାନ ତା’ ଗତିବିଧି ଉପରେ ନଜର ରଖାଯାଇଛି ବୋଲି ବନ୍ୟପାଣି ପିସିସିଏଫ୍ ପ୍ରେମ କୁମାର ଝା କହିଛନ୍ତି ।
ସେହିପରି ଯମୁନାର ବୟସ ୨ ବର୍ଷରୁ କମ୍ ହେବ । ନଭେମ୍ବର ୯ରେ ଏନ୍କ୍ଲୋଜରରୁ ଯମୁନାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଛଡ଼ାଯାଇଥିଲା । ପାହାଡ଼ିଆ ଜଙ୍ଗଲରେ ଯମୁନା କିଛି ଦିନ ଧରି ନିଜର ବାସସ୍ଥାନ ପ୍ରସ୍ତୁତି କରିବାରେ ଲାଗିଥିଲା । ହେଲେ ଯମୁନା ବାଲେଶ୍ୱର ଜିଲ୍ଲା ଔପଦା ଏବଂ ସେଠାରୁ କୁଲଡ଼ିହା ଅଭୟାରଣ୍ୟ ପଳାଇ ଯାଇଛି ।
ଅନ୍ୟପଟେ, ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ସେମାନେ ପୁଣି ଫେରି ଆସିବେ । ଏଥିରେ କିଛି ଅସୁବିଧା ନାହିଁ ବୋଲି ବନ୍ୟପାଣି ପିସିସିଏଫ୍ ପ୍ରେମ କୁମାର ଝା କହିଛନ୍ତି ।
Comments are closed.