Latest Odisha News

BREAKING NEWS

ଦିଲ୍ଲୀରେ ‘ଯମୁନା’ ରାଜନୀତି

ନୂଆଦିଲ୍ଲୀ: ଦିନେ ଦିଲ୍ଲୀର ଲାଇଫ୍ ଲାଇନ୍ ରହିଥିବା ଯମୁନା ଏବେ ପାଲଟିଛି ରାଜନୀତିର କେନ୍ଦ୍ର । ନିର୍ବାଚନର ଦିନ କେଇଟା ପୂର୍ବରୁ ଯମୁନାରେ ଜହରକୁ ନେଇ ବଡ଼ ଅସ୍ତ୍ର ଛାଡିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଯମୁନା ପ୍ରଦୂଷଣ ପଛରେ ହରିୟାଣାର ବଡ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ହରିୟାଣା ସରକାର ଜାଣିଶୁଣି ଦିଲ୍ଲୀ ଲୋକଙ୍କୁ ମାରିବାକୁ ବିଷାକ୍ତ ପାଣି ପଠାଉଥିବା କହିଛନ୍ତି କେଜ୍ରିଓ୍ବାଲ । ଏହାପରେ ଯମୁନା ପାଣି ପ୍ରଦୂଷଣ ଓ ଦିଲ୍ଲୀରେ ଜଳ ସଂକଟକୁ ନେଇ ରାଜନୀତି ଚରମରେ ପହଞ୍ଚିଛି । କେଜ୍ରିଓ୍ବାଲଙ୍କୁ ନିର୍ବାଚନ କମିଶନ ପ୍ରମାଣ ମାଗିବା ପରେ ସେ କୌଣସି ଆଇନର ଉଲ୍ଲଂଘନ କରିନଥିବା ଉତ୍ତର ଦେଇଛନ୍ତି ।

ଦିଲ୍ଲୀରେ ‘ଯମୁନା’ ରାଜନୀତି

ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ପ୍ରଚାର ଚାଲିଥିବା ବେଳେ ଯମୁନା ପ୍ରଦୂଷଣକୁ ନେଇ ଜୋରଦାର ରାଜନୀତି ହେଉଛି । ପ୍ରଥମେ କେଜ୍ରିଓ୍ବାଲ ହରିୟାଣା ସରକାର ଯମୁନା ପାଣିରେ ବିଷ ମିଶାଉଥିବା ଅଭିଯୋଗ ଆଣିଲେ । ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା କେଜ୍ରିଓ୍ବାଲଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି । ଖାଲି ସେତିକି ନୁହେଁ ଦିଲ୍ଲୀ ହରିୟାଣା ସୀମାରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ଯମୁନାରୁ ପାଣି ନେଇ ପିଇଛନ୍ତି । ତେବେ ସୈନି ଭିଡିଓ ଜାରି କରିବା ପରେ ସେ ପାଣି ପିଇବା ପରି କେବଳ ଅଭିନୟ କରୁଥିବା କହିଛି ଆପ୍ । ସୈନି ପାଣି ଢୋକି ନାହାନ୍ତି ବରଂ ମୁହଁରେ ନେଇ ପାଣି ପୁଣି ଯମୁନାରେ ପକାଇଥିବା କହି ସମାଲୋଚନା କରିଛି ଆପ୍ ।

ରାଜନୀତିର କେନ୍ଦ୍ରରେ ଯମୁନା

ଯମୁନାକୁ ନେଇ କେଜ୍ରିଓ୍ବାଲଙ୍କ ବୟାନ ବିବାଦର ରୂପ ନେଇଛି । ହରିୟାଣାର ଏକ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ୍ କରିଛନ୍ତି ତ ନିର୍ବାଚନ କମିଶନ ଯମୁନାରେ ପ୍ରଦୂଷିତ ପାଣି ନେଇ ପ୍ରମାଣ ମାଗିଛନ୍ତି । ତେବେ ଇସିଙ୍କୁ ଉତ୍ତରରେ କୌଣସି ଆଇନର ଉଲ୍ଲଂଘନ କରିନଥିବା କହିଛନ୍ତି କେଜ୍ରିଓ୍ବାଲ। ତେବେ ପୁଣି ଥରେ ନିର୍ବାଚନ କମିଶନ ତାଙ୍କୁ ଯମୁନାରେ ବିଷ ନେଇ ନିର୍ଦ୍ଧିଷ୍ଟ ଭାବେ ଉତ୍ତର ରଖିବାକୁ ୩୧ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ପୂର୍ବରୁ ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ତେବେ ଯମୁନା ସଫେଇ ନେଇ ବିଜେପି ଓ କଂଗ୍ରେସ ଓଲଟା କେଜ୍ରିଓ୍ବାଲଙ୍କୁ ଘେରିଛନ୍ତି । ରାହୁଲ ଗାନ୍ଧୀ ତାଙ୍କୁ ଯମୁନା ପାଣିରେ ବୁଡ ପକାଇ ଦେଖାଇବାକୁ ପାଲଟା ଚ୍ୟାଲେଞ୍ଜ ଦେଇଛନ୍ତି ।

କେତେ ବିଷାକ୍ତ ଯମୁନା ପାଣି?

ଗତ ୧୦ବର୍ଷ ଧରି ଯମୁନାର ପାଣି ଦୂଷିତ ହୋଇଚାଲିଛି । ପ୍ରଦୂଷଣ ପଛର ମୁଖ୍ୟ କାରଣ ହେଉଛି ବିଭିନ୍ନ କାରଖାନାରୁ ଆସୁଥିବା ଦୂଷିତ ପାଣି ସିଧାସଳଖ ଯମୁନାରେ ମିଶୁଛି । ଦିଲ୍ଲୀ ସରକାର ପର୍ଯ୍ୟାପ୍ତ ପରିମାଣର ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି କରିବାରେ ବିଫଳ ରହିଥିବା କୁହାଯାଉଛି । ତେବେ କେଜ୍ରିଓ୍ବାଲ ହଠାତ୍ ଯମୁନାରେ ଆମୋନିଆ ସ୍ତର ବଢିଥିବା ନେଇ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବରୁ ଦିଲ୍ଲୀରେ ଯମୁନା ପାଣିରେ ଆମୋନିଆ ସ୍ତର ୩ପିପିଏମ୍ ରହିଥିବା ବେଳେ ଜାନୁଆରୀ ୨୧ତାରିଖ ପରଠୁ ଏହା ୭ପିପିଏମକୁ ବଢିଥିବା ସେ କହିଛନ୍ତି । ଦିଲ୍ଲୀରେ ପାଣି ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବନ୍ଦ କରିବା ସହ ଆପ୍ ବିରୋଧରେ ଜନ ଅସନ୍ତୋଷ ବଢାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଇଥିବା କେଜ୍ରିଓ୍ବାଲ ଅଭିଯୋଗ କରିଛନ୍ତି । ଏପରିକି ହରିୟାଣାର କାମକୁ ଜଳ ଆତଙ୍କବାଦ ବୋଲି ବି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିସୀ ।

ଗତ ଦୁଇଟି ନିର୍ବାଚନରେ ଆମ ଆଦମୀ ପାର୍ଟିର ନିର୍ବାଚନ ଇସ୍ତାହାରରେ ଯମୁନା ସଫେଇକୁ ନେଇ ଦଳ ପ୍ରତିଶ୍ରୁତି ଦେଇଥିଲା । ହେଲେ ନଦୀ ସଫେଇ ନେଇ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନି ଆପ୍ । ଚଳିତ ନିର୍ବାଚନୀ ଇସ୍ତାହାରରେ ବି ଏକଥା ଦଳ ମାନିଛି । ଯମୁନା ସଫେଇ ଓ ସ୍ବଚ୍ଛ ଜଳ ଯୋଗାଣ କରିପାରିନଥିବା କହିଛି ଆପ୍ । ତେବେ ହରିୟାଣା ରାଜନୈତିକ ସ୍ବାର୍ଥ ପାଇଁ  ଯମୁନା ପାଣିରେ ବିଷ ମିଶାଉଥିବା କହି ବଡ ଗୋଟି ଚଳାଇଛନ୍ତି କେଜ୍ରିଓ୍ବାଲ । ତାଙ୍କ ବୟାନରୁ ବିଜେପି ଓ କଂଗ୍ରେସ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ହେଲେ ଦିଲ୍ଲୀବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସ୍ବର ଉଠାଇ ଆପ ନିଜ ପ୍ରତିବଦ୍ଧତା ଦେଖାଇଛି । ଯମୁନା ପ୍ରଦୂଷଣକୁ ନେଇ ମାନିବା ସହ ପୁଣି କ୍ଷମତାକୁ ଆସିଲେ ସଫେଇ କରିବା ନେଇ ପ୍ରତିଶ୍ରୁତି ଦେଇଛି । ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ପୂର୍ବରୁ ଏହା ହେବ କି କେଜ୍ରିଓ୍ବାଲଙ୍କ ମାଷ୍ଟରଷ୍ଟ୍ରୋକ୍ ?

Comments are closed.