Latest Odisha News

BREAKING NEWS

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ।

ଆସନ୍ତାକାଲି ପାଇଁ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା । ଅକ୍ଟୋବର ଶେଷରେ ଓଡ଼ିଶାରେ ପଡ଼ିପାରେ ଲା ନିନାର ପ୍ରଭାବ । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜର ରହିଛି ।

ଅପରପକ୍ଷରେ ପୂର୍ବ ସୂଚନା ଅନୁଯାୟୀ, ଶୁକ୍ରବାର ଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ ବୋଲି କୁହାଯାଇଥିଲା । ଏପରିକି ୧୩ ତାରିଖଠାରୁ ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ବ୍ୟତୀତ ଅନ୍ୟ ସବୁଠି ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ଥିଲା ।

ସେପ୍ଟେମ୍ବର ୧୪ ତାରିଖ ପାଇଁ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇଟି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ (୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

 

Comments are closed.