Latest Odisha News

କାଲିଠୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଏହି ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।

ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ କମ ବର୍ଷା ହେବ।

ଅନ୍ୟପଟେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼ ଓ ସୋନପୁର ଆଦି ଜିଲ୍ଲାରେ ବର୍ଷା ପରିମାଣ କମ ହେବ। କାଲିଠାରୁ ବର୍ଷାର ପରିମାଣ ବହୁତ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି।

ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦୁଝର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଡିସେମ୍ବର ୨୧ ଅର୍ଥାତ୍ ଆଜି ରାତି, ଆସନ୍ତାକାଲି (ଡିସେମ୍ବର ୨୨) ସକାଳ ଓ ରାତି ଏବଂ ସୋମବାର (୨୩ ଡିସେମ୍ବର) ସକାଳେ ଏହି ୬ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।

ଏହି ସବୁ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିବାକୁ ଥିବା ସମୟରେ ଯେପରି କୌଣସି ପ୍ରକାର ଦୁର୍ଘଟଣା ଘଟିବ ନାହିଁ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପୋଲିସ ଓ ପରିବହନ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

 

Leave A Reply

Your email address will not be published.