Latest Odisha News

ଲେଡ଼ି କୁମ୍ଭକର୍ଣ୍ଣ: ଦିନକୁ ଶୁଅନ୍ତି ୨୨ ଘଣ୍ଟା

ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି । ସେଥିପାଇଁ ନିୟମିତ ଭାବେ ଜଣେ ସାଧାରଣ ଲୋକ ପାଇଁ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ । ଏଥିରେ ବ୍ୟତିକ୍ରମ ଘଟିଲେ ନିଦ୍ରହୀନତା ବା ଇନ୍‌ସୁମେନିଆ ରୋଗର ଶୀକାର ହେବାକୁ ପଡ଼ିଥାଏ । ଏହି ରୋଗ ଭୋଗୁଥିବା ଲୋକେ ବଡ଼ କଷ୍ଟରେ କିଛି ଘଣ୍ଟା ଶୋଇବାକୁ ସକ୍ଷମ ହୋଇଥାନ୍ତି । ମୋଟ ଉପରେ ନିୟମିତ ଭାବେ ଶୋଇବା ଜୀବନଚର୍ଯ୍ୟାକୁ ବ୍ୟବସ୍ଥିତ କରିଥାଏ ବୋଲି ଡ଼ାକ୍ତରଙ୍କ ମତ । କିନ୍ତୁ ବେଳେ ବେଳେ ୭ରୁ ୮ ଘଣ୍ଟା ବଦଳରେ ଯଦି ଜଣେ ବ୍ୟକ୍ତି ୨୪ ଘଣ୍ଟାରୁ ୨୨ ଘଣ୍ଟା ଶୋଇଥାନ୍ତି,ତାହାହେଲେ ତାଙ୍କୁ କେଉଁ ରୋଗ ହୋଇଛି ତାହା ଚିକିତ୍ସକମାନେ ମଧ୍ୟ କହିବାକୁ ଅକ୍ଷମ । ଏମିତି ୨୨ ଘଣ୍ଟା ଧରି ନିୟମିତ ଭାବେ ଶୋଇ ଆସୁଥିବା ଜଣେ ମହିଳାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଏବେ ଖୁବ୍ ଚର୍ଚ୍ଚା ।

ଏହି ମହିଳା ଜଣକ ହେଲେ ବ୍ରିଟେନ୍‌ର ୩୮ ବର୍ଷୀୟା ଜୋଆନା କକ୍ସ ରିୟଲ । ତାଙ୍କୁ ଲୋକେ ଥଟ୍ଟାରେ ସ୍ଲିପିଂ ବ୍ୟୁଟି ବୋଲି ଆଖ୍ୟା ଦେଇଛନ୍ତିି । କାରଣ ସେ ନିୟମିତ ଭାବେ ୨୨ ଘଣ୍ଟା ପର୍ଯ୍ୟନ୍ତ କେବଳ ଶୋଇଥାନ୍ତି । ସେ ସମୟରେ କୌଣସି ଖାଦ୍ୟ ଓ ପାନୀୟ ବି ଖାଇ ନ ଥାନ୍ତି । ଥରେ ଥରେ ସେ ଲଗାତର ଭାବେ ୭୨ ଘଣ୍ଟା ଶୋଇଥିବାର ମଧ୍ୟ ନଜିର ଅଛି । ମଜା କଥା ହେଉଛି, ସେ ଯେତେବେଳେ ବାହାରକୁ ଯାଇଥାନ୍ତି, ସେଠାରେ ମଧ୍ୟ ଶୋଇ ପଡିଥାନ୍ତି । ସୋସିଆଲ ମିଡ଼ିଆରେ ମିଳିଥିବା ସୂଚନା ଅନୁସାରେ, ସେ ଏକ ଅଜବ ରୋଗରେ ପୀଡ଼ିତ , ଯାହାକୁ ଡ଼ାକ୍ତରୀ ଭାଷାରେ ଇନ୍‌ସୁମିନିଆ ବୋଲି କୁହାଯାଏ । ଅର୍ଥାତ୍ ନିଜେ ନ ଚାହିଁ ମଧ୍ୟ ଜଣେ ବ୍ୟକ୍ତି ଆପେ ଆପେ ଶୋଇପଡ଼େ । ଏହା ଭିତରେ କେତେ ସମୟ କଟିଥାଏ, ତାହା ସେ ଲୋକକୁ ଜଣା ନ ଥାଏ । ଏମିତି ଅନେକ ଘଟଣା ନଜରକୁ ଆସୁଥିବାବେଳେ ଏହି ମହିଳା ଜଣକ ଶୋଇବାରେ କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଏବେ ଏହି ଖବର ସୋସିଆଲ ମିଡ଼ିଆରେ ପ୍ରଚାରିତ ହେବା ପରେ ତାଙ୍କୁ ଅନେକ ଲେଡ଼ି କୁମ୍ଭକର୍ଣ୍ଣ ବୋଲି ଆଖ୍ୟା ଦେଇଛନ୍ତି । ଅନେକ ସମୟରେ ନିଜେ ଶୋଇବାକୁ ନେଇ ମହିଳା ଜଣକ ନିଜେ ମଧ୍ୟ ଲଜ୍ଜିତ ହେଉଥିଲେ ବି ଶୋଇବା ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ ବୋଲି ସେ ସ୍ୱୀକାର କରନ୍ତି ।

Leave A Reply

Your email address will not be published.