Latest Odisha News

ନବ ଦାସଙ୍କ ଚରିତ୍ରକୁ ନେଇ ନରସିଂହଙ୍କ ମନ୍ତବ୍ୟ ପରେ ହାତ ଯୋଡ଼ିଲେ ଦୀପାଳି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ? ସେ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କିଛି ନିଷ୍କର୍ସ ମିଳୁନି । ଅନ୍ୟପଟେ ଗୋପାଳକୁ ନେଇ ରାଜନୈତିକ ଦଳ ବିଭିନ୍ନ ବୟାନବାଜି କରୁଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଓ ଗୋପାଳ ଗୁଳିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ।

ଦୀପାଳି ଦାସ କହିଛନ୍ତି, ନରସିଂହ ମିଶ୍ର ଜଣେ ବରିଷ୍ଠ ନେତା । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । ବାପା ମଧ୍ୟ ଆପଣଙ୍କ ସହଯୋଗୀ ଥିଲେ । ଆପଣ ବାପାଙ୍କ ଚରିତ୍ରକୁ ନେଇ ଗଣମାଧ୍ୟମରେ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ମୋତେ ଓ ପରିବାରକୁ ଆଘାତ ଦେଇଛି ।

ମୁଁ ଛୁଆ ବେଳୁ ଜାଣିଛି ବାପା ଆପଣଙ୍କ ସହ ମିଶି କାମ କରିଛନ୍ତି । ଘନିଷ୍ଠ ସମ୍ପର୍କ ସତ୍ତ୍ୱେ ବାପାଙ୍କ ଚରିତ୍ରକୁ ନେଇ ଆପଣ ଉଠାଇଥିବା ପ୍ରଶ୍ନ ଆମକୁ ଆଘାତ ଦେଇଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ପରେ ଚରିତ୍ର ଉପରେ ପ୍ରଶ୍ନ କରିବା ଓଡ଼ିଆ ସଂସ୍କୃତି ଅନୁସାରେ ଠିକ୍ ନୁହେଁ ବୋଲି ନରସିଂହଙ୍କୁ କହିଛନ୍ତି ଦୀପାଳି ଦାସ ।

ଆପଣ ଜଣେ ବଡ଼ ଓକିଲ । ଯଦି ଆପଣଙ୍କ ପାଖରେ ବାପାଙ୍କ ହତ୍ୟାକାଣ୍ଡକୁ ନେଇ କୌଣସି ତଥ୍ୟ ଅଛି ତାହାକୁ ପୋଲିସ ଓ କୋର୍ଟରେ ଦିଅନ୍ତୁ । ତାହା ନକରି ଆପଣ କାହିଁକି ଗଣମାଧ୍ୟମରେ ଏମିତି କହୁଛନ୍ତି । ଏହା ଆପଣଙ୍କୁ ଶୋଭା ଦେଉନି । ବାପାଙ୍କ ଚରିତ୍ରକୁ ନେଇ ରାଜନୀତି ନ କରିବାକୁ ଦୀପାଳି ହାତ ଯୋଡ଼ିଛନ୍ତି ।

Leave A Reply

Your email address will not be published.