ଇଟାଲୀ: ଆଜିର ଦିନରେ କେଶ ଝଡ଼ିବା ଦ୍ୱାରା ଆମ ମଧ୍ୟରୁ ଅନେକ ଅସୁବିଧାରେ ପଡିଥା଼ନ୍ତି । ଲୋକମାନେ ଏଥିପାଇଁ ଅନେକ ସମାଧାନ ଖୋଜନ୍ତି । ସ୍ପା ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । କିଛି ଲୋକ ଏଥିରେ ଲାଭବାନ୍ ହେଉଥିବା ବେଳେ ଆଉ କିଛି ଅସଫଳ ହୋଇଥାନ୍ତି । କେବଳ ପଇସା ସାରିବା ସାର୍ ହୁଏ । କିନ୍ତୁ ଆଜି ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ସେ କେଶ ଝଡ଼ିବା ସମସ୍ୟାର ମୁକାବିଲା ପାଇଁ କଣ କରିଛନ୍ତି ଜାଣିଲେ ଆପଣ ହସିହସି ଗଢିଯିବେ ।
ଇଟାଲୀର ୨୬ ବର୍ଷିୟ ବାସିନ୍ଦା ଜିଆନଲୁକା । ଧୀରେ ଧୀରେ ତାଙ୍କ କେଶ ଝଡ଼ିବାକୁ ଲାଗିଲେ । ଏହାକୁ ନେଇ ସେ ଚିନ୍ତିତ ହେବା ସହ ଅନେକ ପଦ୍ଧତି ଗ୍ରହଣ କଲେ । କିନ୍ତୁ କେଶ ଝଡ଼ିବା ବନ୍ଦ ହେବାର ନାଁ ବି ନେଉ ନ ଥିଲା । ଏଥିରେ ବିରକ୍ତ ହୋଇ କେଶ ଉପୁଡ଼ି ଚନ୍ଦା ହୋଇଥିବା ସ୍ଥାନରେ ଟାଟୁ କରିବାକୁ ନିଷ୍ପତ୍ତି ନେଲେ । ନକଲି କେଶ ଲଗାଇ ପଇସା ସାରିବା ଅପେକ୍ଷା ସ୍ଥାୟୀ ଭାବେ ଟାଟୁ କରିଦେଲେ ଭଲ ହେବ ବୋଲି ଭାବିଲେ । ଏହା ଚିନ୍ତା କରି ସେ ଟାଟୁ ଆର୍ଟିଷ୍ଟ ମାରିଆ ଜିନା ଆଲଟୋବେଲିଙ୍କ ସହ ଯୋଗାଯୋଗ କଲେ । ତାଙ୍କ କପାଳରେ କେଶ ସଦୃଶ ଟାଟୁ କରିବାକୁ କହିଲେ । ମାରିଆ ମଧ୍ୟ କେଶ ପରି ଟାଟୁ କରିଦେଲେ । କିନ୍ତୁ ଯେତେବେଳେ ସେ ଟାଟୁ କରିବା ପରେ ନିଜ ଚେହେରା ଦେଖିଲେ ଆଶ୍ଚର୍ଯ୍ୟ ହେବା ସହ ଏପରି ନିଷ୍ପତ୍ତିକୁ ନେଇ ଅନୁତାପ କଲେ ।
ଜିଆନଲୁକା ଭାବିଥିବା ପରି ସେମିତି କିଛି ଫଳାଫଳ ଦେଖିଲେ ନାହିଁ । ସେ ଭାବିଲେ ଯେ ତାଙ୍କ ଟାଟୁ ତାଙ୍କୁ ପ୍ରକୃତ କେଶ ଭଳି ଦେଖାଯିବ । କିନ୍ତୁ ଏଠାରେ ନିଷ୍ପତ୍ତି ଓଲଟା ହୋଇଗଲା । କାରଣ କପାଳରେ ଟାଟୁ କରିବା ପରେ ତାଙ୍କ ଚେହେରା ବହୁତ ଖରାପ ଦେଖାଗଲା । ତାଙ୍କର ପୁରା ଲୁକ୍ ନଷ୍ଟ ହୋଇଗଲା ।
Comments are closed.