Latest Odisha News

ସ୍ଥାନ ଭିତ୍ତିରେ ଅଧିକ ଦରମା ପାଇବେ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଡାକ୍ତର

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ର ସହ ରାଜ୍ୟ ସରକାର ମେଡିକାଲ୍ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଜୁନିଅର ରେସିଡେଣ୍ଟ ଓ ସିନିଅର୍ ରେସିଡେଣ୍ଟଙ୍କୁ ସ୍ଥାନ (ଜିଲ୍ଲା) ଅନୁସାରେ ଇନସେଣ୍ଟିଭ୍ ମିଳିବ ।

BjdElectrycity

ଏନେଇ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ନୂଆ କରି ଗଢ଼ି ଉଠୁଥିବା ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ ଲାଗି ବରିଷ୍ଠ ଓ ଅଭିଜ୍ଞ ଡାକ୍ତର ଯୋଡ଼ି ହେବା ସହ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ । ଏଥିସହ ସ୍ଥାନ ଭିତ୍ତିକ ଇନସେଣ୍ଟିଭ୍ ଉପାନ୍ତ ଅଞ୍ଚଳରେ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେବ ।

ଏଥିପାଇଁ ରାଜ୍ୟର ୩୦ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ୩ ଭାଗରେ ବିଭକ୍ତ କରିଛି । ଜୋନ-ଏରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଜୋନ୍-ବିରେ କେନ୍ଦୁଝର, ବୌଦ୍ଧ, ବାଲେଶ୍ୱର, ଗଜପତି, ସୋନପୁର, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲା ରହିଛି ।

ସେହିଭଳି ଜୋନ୍-ସିରେ ଢେଙ୍କାନାଳ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ରହିଛି । କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା କୌଣସି ଜୋନରେ ନଥିବା ବେଳେ ଏସବୁ ଜିଲ୍ଲାରେ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ମିଳିବ ନାହିଁ ।

ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ଉଭୟ ପୁରୁଣା ଏବଂ ନୂଆ ନିଯୁକ୍ତି କ୍ଷେତ୍ରରେ ଲାଗୁ ହେବ । ପୂର୍ବରୁ ପିଜି ପ୍ରଶିକ୍ଷକ ମାସିକ ୭୫ ହଜାର ଟଙ୍କା ପାଉଥିଲେ । ଏଣିକି ସେମାନେ ସବୁ ଜିଲ୍ଲାରେ ୮୦ ହଜାର ଟଙ୍କା ପାଇବେ । ତା’ଛଡ଼ା ଜୋନ୍ ଏରେ କାର୍ଯ୍ୟ କଲେ ୬୦ ହଜାର, ଜୋନ୍-ବିରେ ୪୦ ହଜାର ଓ ଜୋନ୍-ସିରେ ୨୦ ହଜାର ଟଙ୍କା ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ଦେବେ ସରକାର ।

ସେହିଭଳି ସିନିଅର ରେସିଡେଣ୍ଟ ମାସିକ ୬୫ ହଜାର ଟଙ୍କା ପାଉଥିଲେ । ଏଣିକି ସେମାନେ ସବୁ ଜିଲ୍ଲାରେ ୭୫ ହଜାର ଟଙ୍କା ପାଇବେ । ତା’ଛଡ଼ା ଜୋନ୍ ଏରେ କାର୍ଯ୍ୟ କଲେ ୫୦ ହଜାର, ଜୋନ୍-ବିରେ ୩୦ ହଜାର ଓ ଜୋନ୍-ସିରେ ୧୦ ହଜାର ଟଙ୍କା ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ଦେବେ ସରକାର ।

ସେହିଭଳି ଜୁନିଅର ରେସିଡେଣ୍ଟ ମାସିକ ୫୫ ହଜାର ଟଙ୍କା ପାଉଥିଲେ । ଏଣିକି ସେମାନେ ସବୁ ଜିଲ୍ଲାରେ ୬୦ ହଜାର ଟଙ୍କା ପାଇବେ । ତା’ଛଡ଼ା ଜୋନ୍ ଏରେ କାର୍ଯ୍ୟ କଲେ ୩୦ ହଜାର, ଜୋନ୍-ବିରେ ୨୦ ହଜାର ଓ ଜୋନ୍-ସିରେ ୫ ହଜାର ଟଙ୍କା ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ପାଇବେ ।

Leave A Reply

Your email address will not be published.