ଭୋପାଳ: ଏନଆଇଟିର ଜଣେ ବିଟେକ୍ ଗ୍ରାଜୁଏଟ୍ ବୁଧବାର ସକାଳେ ଏକ ଜଳଭଣ୍ଡାରରେ ବୁଡ଼ି ଯିବାରୁ ପ୍ରାଣ ହରାଇଛନ୍ତି। ତାଙ୍କ ଝିଅ ସାଙ୍ଗଙ୍କ ପୋଷା କୁକୁରକୁ ବଞ୍ଚାଇବା ପାଇଁ ପାଣିକୁ ଡେଇଁ ପଡ଼ିବା ପରେ ଅକାତ ପାଣିରେ ଗୋଡ଼ ଖସିଯିବାରୁ ସେ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି।
କୁକୁରଟି ପହଁରି ସୁରକ୍ଷିତ ସ୍ଥାନକୁ ଆସିଥିଲା, କିନ୍ତୁ ଯୁବକ ସରଳ ନିଗମଙ୍କର ମୃତ୍ୟୁ ଘଟିଛି। ୨୩ ବର୍ଷୀୟ ଏହି ଯୁବକ ବାପା ମାଙ୍କର ଏକମାତ୍ର ସନ୍ତାନ ଥିଲେ ଏବଂ ଏମ୍ଏନଆଇଟିରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।
ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଅନ୍ତରାମ ଯାଦବ କହିଛନ୍ତି ଯେ ସରଳ ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଦୁଇ ମହିଳା ବନ୍ଧୁଙ୍କ ସହ ସକାଳୁ ବୁଲିବାକୁ କେରୱା ଡ୍ୟାମ୍ ଅଞ୍ଚଳରେ ଥିବା ଜଙ୍ଗଲ କ୍ୟାମ୍ପକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝିଅ ତାଙ୍କ ପୋଷା କୁକୁରକୁ ସାଙ୍ଗରେ ନେଇଯାଇଥିଲେ।
ସକାଳ ପ୍ରାୟ ସାଢ଼େ ୮ଟା ବେଳେ ତିନିଜଣ ଡ୍ୟାମର ତଳ ମୁଣ୍ଡରେ ଥିବା ଜଳଭଣ୍ଡାର ନିକଟରେ ବୁଲୁଥିବା ବେଳେ କୁକୁରଟି ପାଣିରେ ପଡ଼ିଯାଇଥିଲା। ସେମାନେ ଏହାକୁ ବଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଏଏସ୍ ଆଇ ଯାଦବ କହିଛନ୍ତି।
ଏହାପରେ ପରସ୍ପରର ହାତ ଧରି ପାଣିଭିତରକୁ ଓହ୍ଲାଇ କୁକୁର ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ତେବେ ପାଣିର ସ୍ରୋତରେ ପାଦ ଖସିଯିବାରୁ ସରଳ ଖସି ପଡ଼ିଥିଲେ। କିନ୍ତୁ ଝିଅ ସାଙ୍କମାନେ କୂଳରେ ପହଞ୍ଚିବାରେ ସଫଳ ହୋଇଥିଲେ। ପରେ ସରଳ ସ୍ରୋତରେ ଗଭୀର ପାଣିରେ ଭାସି ଯାଇଥିଲେ।
ଝିଅମାନେ ସାହାଯ୍ୟ ପାଇଁ ଚିତ୍କାର କରି ରାସ୍ତାକୁ ଦୌଡ଼ି ଆସିଥିଲେ। ଜଙ୍ଗଲ କ୍ୟାମ୍ପର ୱାଚମ୍ୟାନ୍ ଦୌଡ଼ି ଯାଇ ସରଳଙ୍କୁ ଦେଖି ନପାରି ରତିବାଡ଼ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସରଳଙ୍କ କୌଣସି ଖୋଜଖବର ମିଳିନଥିଲା। ଘଣ୍ଟାଏ ପରେ ତାଙ୍କ ମୃତଦେହ ମିଳିଥିଲା। ୧୦ରୁ ୧୫ ଫୁଟ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।
ତାଙ୍କ ପିତାମାତା ଦୁଃଖରେ ଅଛନ୍ତି। ସରଳଙ୍କ ପିତା ସୁଧୀର ନିଗମ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଥିଲେ। ଚୁନାଭଟ୍ଟିର ସେହି ପଡ଼ୋଶୀରେ ରହୁଥିବା ଏହି ଝିଅମାନଙ୍କୁ ପୁଲିସ ଘରକୁ ପଠାଇ ଦେଇଛି। ସେମାନଙ୍କ ବୟାନ ଏପର୍ଯ୍ୟନ୍ତ ରେକର୍ଡ କରାଯାଇନାହିଁ। ସରଳଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
Comments are closed.