Latest Odisha News

BREAKING NEWS

ଟଙ୍କା ପାଇଁ ବିଚ୍‌ ରାସ୍ତାରେ ପ୍ରେମିକାକୁ ମାରିଦେଲା ପ୍ରେମିକ

ଉଦଳା : ଟଙ୍କା ସାଜିଲା ପ୍ରେମ ପାଇଁ କାଳ। ବିଚ୍‌ ରାସ୍ତାରେ ପ୍ରେମିକାର ମୁଣ୍ଡ ଛେଚି ହତ୍ୟା କଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପଦ୍ମିନୀ ଜୁନପାଳ ଛକ ନିକଟରେ ଦେଖିବାକୁ ମିଳିଥିଲା। ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପଦ୍ମିନୀ ପ୍ରଧାନ। ତେବେ ପଦ୍ମିନୀଙ୍କ ବୟଫ୍ରେଣ୍ଡ ହେଉଛନ୍ତି ସୁପ୍ରିମ ମହାରଣା।

ସୂଚନା ଅନୁଯାୟୀ, ଉଭୟ ପଦ୍ମିନୀ ଓ ସୁପ୍ରିମଙ୍କ ମଧ୍ୟରେ ପ୍ରାୟ ୮ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ସୁପ୍ରିମଙ୍କ ଘର ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ଅଧୀନସ୍ଥ ବଳରାମପୁର ଗାଁରେ । ସେ କପ୍ତିପଦାରେ ରହି ବଢ଼େଇ କାମ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ତେଣୁ ଉଭୟଙ୍କ ମଧ୍ୟରେ ଟଙ୍କା କାରବାର ମଧ୍ୟ ଚାଲିଥିଲା । ପ୍ରାୟ ୩ ମାସ ହେବ ଉଭୟଙ୍କ ସମ୍ପର୍କ ବିଗିଡ଼ିବାରୁ ପଦ୍ମିନୀଙ୍କୁ ଟଙ୍କା ଫେରାଇବାକୁ ସୁପ୍ରିମ କହି ଆସୁଥିଲେ। ହେଲେ ପଦ୍ମିନୀ ଟଙ୍କା ଫେରାଉ ନଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁପ୍ରିମ ପଦ୍ମିନୀଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲା।

ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ ପଦ୍ମିନୀ । ତାଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା କପ୍ତିପଦା ଉପଖଣ୍ଡ ପୁଲିସ୍‌ ଅଧିକାରୀ ସାର୍ଥକ ରାଏ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.