ଭୁବନେଶ୍ୱର: କଂଗ୍ରେସ ସହ ନିଜ ଦଳକୁ ଲୀନ କରିବାକୁ ଉଦ୍ୟମ କଲେ। ସୋନିଆ ରାହୁଲଙ୍କ ସହ ସାକ୍ଷାତ କରି ତେଲେଙ୍ଗାନାରେ ଏକାଠି ନିର୍ବାଚନ ଲଢ଼ିବାକୁ ଆଲୋଚନା କଲେ। ବହୁ ଅପେକ୍ଷା ମଧ୍ୟ କଲେ। କିନ୍ତୁ କଂଗ୍ରେସ ପକ୍ଷରୁ କିଛି ନିଷ୍ପତ୍ତି ନିଆ ନ ଯିବାରୁ ତେଲେଙ୍ଗାନାର ସମସ୍ତ ୧୧୯ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ।
କିନ୍ତୁ ଏବେ ଅନ୍ୟ ଏକ ବଡ଼ ଘୋଷଣା ପୁରା ତେଲେଙ୍ଗାନାକୁ ଚମକାଇ ଦେଇଛି। ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳାଙ୍କ କଠୋର ନିଷ୍ପତ୍ତିକୁ ନେଇ ଏବେ ତେଲେଙ୍ଗାନାଠୁ ଆରମ୍ଭ କରି ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ତେଲେଙ୍ଗାନାରେ ନିର୍ବାଚନ ପରିବେଶ ବେଶ ସରଗରମ ହୋଇଥିବା ବେଳେ ପ୍ରମୁଖ ଦଳଗୁଡିକ ପ୍ରଚାରରେ ଲାଗି ପଡିଛନ୍ତି। ଏଭଳି ସମୟରେ ଶର୍ମିଳା ତାଙ୍କ ଦଳ ଏଥର ନିର୍ବାଚନ ଲଢ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି।
ତାଙ୍କ ଦଳ ସମ୍ପୂର୍ଣ କଂଗ୍ରେସକୁ ସହଯୋଗ କରିବ ବୋଲି ସେ ଘୋଷଣା କରିଛନ୍ତି। ନିର୍ବାଚନ ଲଢ଼ିଲେ ବିରୋଧୀ ଭୋଟ ଭାଗ ଭାଗ ହେବ ଯାହାକି ଶାସକ ବିଆରଏସକୁ ଫାଇଦା ଦେବ। ଯାହାକି ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି।
ସେଥିପାଇଁ ସେ ନ ଲଢ଼ି କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି। କେସିଆରଙ୍କ ଶାସନରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏହାର ଅନ୍ତ ଘଟାଇବାକୁ ଲୋକେ ସଜବାଜ ହେଉଛନ୍ତି। କେସିଆରଙ୍କ ଶାସନ ସମୟରେ ରାଜ୍ୟର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ କରିବା ସହ ରାଜ୍ୟ ପ୍ରତିଷ୍ଠା ବେଳେ ଏକ ଧନୀ ରାଜ୍ୟ କିଭଳି ଏବେ ଋଣ ଭାରରେ ଛନ୍ଦି ହୋଇଛି ସେ କଥା ଉଠାଇଛନ୍ତି ଶର୍ମିଳା।
କେସିଆରଙ୍କ ବ୍ୟାପକ ଦୁର୍ନୀତି ଯୋଗୁ ଏଭଳି ହୋଇଥିବା ସେ କହିଛନ୍ତି। ତେଣୁ ତେଲେଙ୍ଗାନାର ବୃହତ୍ତର ସ୍ୱାର୍ଥ ପାଇଁ ସମସ୍ତ ସମଭାବାପନ୍ନ ଦଳ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି।
ତେଣୁ ଏବେ ବିଆରଏସକୁ ହରାଇବା ପାଇଁ କଂଗ୍ରେସ ପାଖରେ ସୁଯୋଗ ଥିବାରୁ ବିରୋଧୀ ଭୋଟକୁ ଭାଗ ନ କରିବାକୁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ବିଭିନ୍ନ ସର୍ଭେ ରିପୋର୍ଟ ଅନୁଯାୟୀ ତାଙ୍କ ଦଳର ନିର୍ବାଚନ ଲଢ଼ିବା ଯୋଗୁ କଂଗ୍ରେସର ଭୋଟ ଉପରେ ପ୍ରଭାବ ପଡିବ।
ତେଣୁ ସେଥିପାଇଁ ୱାଇଏସଆର ତେଲେଙ୍ଗାନା ଦଳ ଏଭଳି ବଡ଼ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ସେପଟେ ଶର୍ମିଳାଙ୍କ ଏଭଳି ନିଷ୍ପତ୍ତି ପରେ ତାଙ୍କ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କିନ୍ତୁ ସବୁକୁ ମ୍ୟାନେଜ କରି ବିଆରଏସକୁ ହରାଇବା ପାଇଁ ଶର୍ମିଳାଙ୍କ ଏଭଳି ନିଷ୍ପତ୍ତି ରାଜନୈତିକ ମହଲକୁ ଚମକାଇ ଦେଉଛି।
Comments are closed.