ଭୁବନେଶ୍ୱର: ଯୁଦ୍ଧର ଶିକାର ୟୁକ୍ରେନ ଏବେ ଚାରିଆଡୁ ସହାୟତା ଅପେକ୍ଷାରେ । ବିଭିନ୍ନ ମିତ୍ର ଦେଶ ସହ ବିଶ୍ୱର ବୃହତ ଶକ୍ତିକୁ ସହାୟତା ପାଇଁ ଆହ୍ୱାନ କରୁଛି । କେବଳ ସାମଗ୍ରିକ ସହାୟତା ନୁହେଁ ସାମରିକ ସାହାଯ୍ୟ ବି ଲୋଡ଼ା । ଅର୍ଥନୀତି ଦ୍ରୁତ ହ୍ରାସ ଯୋଗୁଁ ପାଣ୍ଠି ଯୋଗାଡ଼ କରିବା ମଧ୍ୟ ଏବେ ୟୁକ୍ରେନ ପାଇଁ କାଠିକର ପାଠ । ତେବେ ୟୁକ୍ରେନ ସରକାର ଏବଂ ରାଷ୍ଟ୍ରପତି ଭୟାତୁର ନହୋଇ ବିଭିନ୍ନ ଉପାୟ ପାଞ୍ଚୁଛନ୍ତି ।
ଏ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭଲୋଦୋମିର ଜେଲେନସ୍କି କୌଣସି ଚେଷ୍ଟାକୁ ବାଦ୍ ଦେଉନାହାନ୍ତି । ପ୍ରଶାସନିକ ଏବଂ ବ୍ୟକ୍ତିଗତ ସ୍ତରର ସମସ୍ତ କ୍ଷମତା ପ୍ରଦର୍ଶନ କରୁଛନ୍ତି । ଯୁଦ୍ଧ ଭିତରେ ବିଚ୍ଛିନ୍ନ ହୋଇଥିବା ଲକ୍ଷ ଲକ୍ଷ ୟୁକ୍ରେନ ପରିବାର ପାଇଁ ସହାୟତା ପାଣ୍ଠି ଯୋଗାଡ଼ରେ ଲାଗିଛନ୍ତି ଜେଲେନେସ୍କି ।
ଗତ କିଛି ଦିନରେ ଜେଲେନସ୍କି ନିଜ ଦସ୍ତଖତ ସଂଗୃହିତ ଏକ ବେସବଲ୍ କୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଲାମରୁ ଆସିବାକୁ ଥିବା ସମସ୍ତ ଟଙ୍କା ବିଚ୍ଛିନ୍ନ ହୋଇଥିବା ପରିବାର ଗୁଡ଼ିକ ପ୍ରତି ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି । ୨୦୧୯ ମସିହାରେ ନ୍ୟୁୟର୍କ ଗସ୍ତ ବେଳେ ଏକ ବେସବଲ୍ ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ଏକ ଏମଏଲବି ବେସବଲ୍ ରେ ଜେଲେନସ୍କି ଦସ୍ତଖତ କରିଥିଲେ ।
ଏବେ ଏହି ହସ୍ତାକ୍ଷର ରଚିତ ବଲ୍ ଟି ନିଲାମ ହେବାକୁ ଯାଉଛି । ଯାହା ଆଗାମୀ ସପ୍ତାହ ଗୁଡ଼ିକରେ ନିଲାମ ହେବ ବୋଲି ୱାଶିଂଟନ ଏଗଜାମାଇନର ଖବରରେ ପ୍ରକାଶ କରିଛି । ନିଲାମ ଦାୟିତ୍ୱ ନେଇଥିବା ଆରଆର ଅକ୍ସନସ କହିଛି ଯେ, ମେ ୧୧ରେ ନିଲାମି ପ୍ରକ୍ରିୟା ଶେଷ ହେବ । ୧୫ ହଜାର ଡଲାର ନିଲାମ ଦର ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣ ନିଲାମ ପ୍ରକ୍ରିୟାରେ ଭାଗ ନେଇଛନ୍ତି । ସର୍ବାଧିକ ଡକରା ୪ ହଜାର ଡଲାର ପର୍ଯ୍ୟନ୍ତ ପହଞ୍ଚିଛି ।
Comments are closed.