Latest Odisha News

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି: ଆଗକୁ ଖାଦ୍ୟ ସଙ୍କଟ ନେଇ ସତର୍କ ବାଣୀ

ଦିଲ୍ଲୀ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମାମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ଅନେକ ଦେଶରେ ଖାଦ୍ୟ ଅଭାବ ଦେଖାଦେବ ।

ଯୁଦ୍ଧ ଆଣିପାରେ ଖାଦ୍ୟ ସଙ୍କଟ । ଜେଲେନସ୍କି କହିଛନ୍ତି ଯେ, ଏହି ଯୁଦ୍ଧ ଅନେକ ଦେଶରେ ଖାଦ୍ୟ ସଙ୍କଟ ଆଣିବାର ଆଶଙ୍କା ରହିଛି । ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଜଣାଶୁଣା । ପ୍ରତିବର୍ଷ ଏହା ବିଦେଶକୁ ହଜାର ହଜାର ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ପଠାଇଥାଏ । ହେଲେ ରୁଷର ଆକ୍ରମଣ ଯୋଗୁଁ ଖାଦ୍ୟ ଶସ୍ୟ ଉତ୍ପାଦନ ଓ ରପ୍ତାନୀ ସମ୍ଭବ ହୋଇପାରୁନଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ଦୁଇ ପକ୍ଷ ମଧ୍ୟରେ ବହୁଥର ବୈଠକ ବସିଥିଲେ ବି ଶାନ୍ତିର କୌଣସି ବାଟ ବାହାରିପାରିନାହିଁ । କାରଣ ଉଭୟ ରୁଷ୍ ଓ ୟୁକ୍ରେନ ନିଜ ଦାବିରେ ଅଟଳ ରହିଛନ୍ତି । ତାଙ୍କ ଦେଶ ଆତ୍ମସମର୍ପଣ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ସେପଟେ ରୁଷ୍ ୟୁକ୍ରେନ ଉପରେ ଘନ ଘନ ବୋମା ଓ ମିଶାଇଲ ମାଡ କରିଚାଲିଛି । ହସ୍ପିଟାଲ, ଡାକ୍ତରଖାନା, ଆପାର୍ଟମେଣ୍ଟ ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ବୋମା ବର୍ଷଣ କରୁଛି ରୁଷ୍ ।

ସପିଂ ମଲକୁ ବି ଛାଡ଼ିଲାନି ରୁଷ୍ ସେନା । ଆକ୍ରମଣରେ ଚାଲିଗଲା ୮ ନୀରିହଙ୍କ ଜୀବନ । ୟୁକ୍ରେନର ଅର୍ଥନୈତିକ ପେଣ୍ଠସ୍ଥଳୀ ଖାରକିଭରୁ ଆସିଛି ଛାତିଥରା ଦୃଶ୍ୟ । ଗୋଟିଏ ସପିଂ ମଲ୍ ଉପରେ ଆକ୍ରମଣ କରିଛି ରୁଷ୍ ସେନା । ଜନସାଧାରଣ ଜିନିଷ କିଣିବା ପାଇଁ ଲାଇନରେ ଠିଆ ହୋଇଥିବାବେଳେ ଆଖିପିଛୁଳାକେ ମଲ୍ ଭିତରେ ବୋମା ବିସ୍ଫୋରଣ ହେଲା । ଆଉ ୮ ଜଣ ନୀରିହ ନାଗରିକଙ୍କ ଜୀବନ ଚାଲିଗଲା । ଖାରକିଭର ଜନସାଧାରଣ ଏବେ ଘରୁ ବାହାରିବା ପାଇଁ ଡରୁଛନ୍ତି । କେବଳ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପାଇଁ ସପିଂ ମଲ୍ ଓ ସୁପରମାର୍କେଟକୁ ନିର୍ଦ୍ଧିଷ୍ଟ ସମୟରେ ଯାଉଛନ୍ତି ।

Comments are closed.