Latest Odisha News

‘ୟୁକ୍ରେନକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି, ନହେଲେ ନାଟୋ ଦେଶରେ ପଡିବ ଋଷ ରକେଟ’

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ସୋମବାର ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନ ଆକାଶକୁ ନୋ-ଫ୍ଲାଏ ଜୋନ୍ ଘୋଷଣା ନହୁଏ ତେବେ ଋଷିଆର କ୍ଷେପଣାସ୍ତ୍ର ନାଟୋ ଦେଶରେ ପଡିବ। ରବିବାର ୟୁକ୍ରେନର ପଶ୍ଚିମ ସୀମା ନିକଟରେ ଥିବା ନାଟୋ ସଦସ୍ୟ ପୋଲାଣ୍ଡରେ ଋଷର କ୍ଷେପଣାସ୍ତ୍ର ମାଡ ହୋଇଛି। ଏଥିରେ 35 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 130ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଏହାପରେ ଜେଲେନସ୍କି ଏପରି ବାର୍ତ୍ତା ଦେଇଛନ୍ତି।

ସୋମବାର ଜେଲେନସ୍କି କହିଛନ୍ତି, ମୁଁ ପୁଣିଥରେ ନାଟୋକୁ ଅନୁରୋଧ କରୁଛି, ୟୁକ୍ରେନ ଆକାଶକୁ ନୋ ଫ୍ଲାଏ ଘୋଷଣା କରାଯାଉ । ଯଦି ଆମ ଆକାଶକୁ ବନ୍ଦ ନକରନ୍ତି, ତେବେ ଋଷର କ୍ଷେପଣାସ୍ତ୍ର ନାଟୋ ଅଞ୍ଚଳରେ ପଡିବ । ନାଟୋ ନାଗରିକଙ୍କ ଘରେ ପଡ଼ିବା ପୂର୍ବରୁ ନୋ ପ୍ଲାଏ ଜୋନ୍ ଘୋଷଣା କରିବାକୁ ଏହା ଠିକ୍ ସମୟ।

ସେ କହିଛନ୍ତି, “ମୁଁ ପୂର୍ବରୁ ନାଟୋକୁ ଚେତାବନୀ ଦେଇ କହିଥିଲି ଯେ ବିନା ପ୍ରତିବନ୍ଧକରେ ରୁଷ ଯୁଦ୍ଧ ଆରମ୍ଭ କରିବ ଏବଂ ମସ୍କୋ ନର୍ଡ଼ ଷ୍ଟ୍ରିମ୍ 2କୁ ଅସ୍ତ୍ର ଭାବରେ ବ୍ୟବହାର କରିବ।

ଏହି ସମୟରେ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ କହିଥିଲେ, ଯଦି ଆମେ ୟୁକ୍ରେନ ଆକାଶରେ ଯୁଦ୍ଧ ଜାହାଜ ମୁତୟନ କରିବା ଏବଂ ଋଷର ଜାହାଜକୁ ପ୍ରତି ଜବାବ ଦେବାକୁ ଯାଇ ତଳକୁ ଖସାଇବା । ତାହେଲେ ସ୍ଥିତି ଏପରି ହେବ ଯେ ୟୁରୋପ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜୋରଦାର ହୋଇଯିବ । ଏହାଦ୍ୱାରା ବହୁ କ୍ଷତି ହେବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଋଷର ଆକ୍ରମଣକୁ ଅଟକାଇବାକୁ ୟୁକ୍ରେନ ଉପରେ ନୋ-ଫ୍ଲାଏ ଜୋନ୍ ଲାଗୁ କରିବାକୁ ନାଟୋକୁ ଅନୁରୋଧ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି । ହେଲେ ନାଟୋ ଏପରି କରିପାରିବନି ବୋଲି ମନା କରିଦେଇଥିଲା। ଯଦି ଋଷ ଯୁଦ୍ଧ ବନ୍ଦ ନକରେ ତେବେ ସେମାନେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ନୂଆ ପ୍ରତିବନ୍ଧକ ଲଗାଇବେ ବୋଲି ଚେତାବନୀ ଦେଇଥିଲେ। ହେଲେ ନାଟୋ ତାଙ୍କ ପ୍ରସ୍ତାବରେ ରାଜି ନହେବାରୁ ଏହି ମିଳିତ ମଞ୍ଚର ଦେଶକୁ ନିନ୍ଦା କରିଥିଲେ ଜେଲେନସ୍କି । କହିଥିଲେ, ୟୁକ୍ରେନ ସହର ଏବଂ ଗାଁ ଉପରେ ବିସ୍ଫୋରଣ ପଛରେ ନାଟୋ ଦାୟୀ।

ଅନ୍ୟପଟେ ଋଷ-ୟୁକ୍ରେନ ସୋମବାର ସକାଳ 10:30 (ସ୍ଥାନୀୟ ସମୟ) ରେ ଭରଚୁଆଲ ବୈଠକ କରିବେ ବୋଲି ଋଷିଆର ଷ୍ଟେଟ ଏଜେନ୍ସି ସ୍ପୁଟନିକ ୟୁକ୍ରେନ ପ୍ରତିନିଧୀଙ୍କ ସୂତ୍ରରୁ ପ୍ରକାଶ।

Comments are closed.