Latest Odisha News

BREAKING NEWS

କହିଦେଲେ ମୁଖ୍ୟମନ୍ତ୍ରୀ, ଏଥର ଆକ୍ସନ୍ !

ଭୁବନେଶ୍ବର: ବିଜେଡି ସରକାରର ଦୁର୍ନୀତି ପ୍ରସଙ୍ଗକୁ ନେଇ ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ରାଜ୍ୟ ବିଜେପି ନେତା, ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର ମଇଦାନରେ ବିଜେଡି ଉପରେ ବାଣ ବର୍ଷାଇଥିଲେ । ବିଜେଡିର ଦୁର୍ନୀତିରେ ପୂର୍ଣ୍ଣଚ୍ଛେଦ ଲଗାଇବାକୁ ଲୋକେ ବି ବିଜେପିକୁ ଜିତାଇଲେ । ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଶାକୁ ଲୁଟିଥିବା ବ୍ୟକ୍ତି ବିଶେଷଙ୍କୁ ଛଡାଯିବ ନାହିଁ ବୋଲି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋହନ ମାଝୀ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ସତରେ ଦୁର୍ନୀତି ମାମଲା ଗୁଡିକର ନିରପେକ୍ଷ ତଦନ୍ତ ହୋଇ ହେବ କି ଆକ୍ସନ୍?

ଓଡିଶାକୁ ଲୁଟିଛନ୍ତି, କାହାକୁ ଛାଡିବୁନି

ନିର୍ବାଚନରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି। ଖଣି ହେଉ କି ଚିଟଫଣ୍ଡ, ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ଘେରିଲେ ବିଜେପିର ହେଭିଓ୍ବେଟ୍ ନେତା । ଲୋକ ବି ଦୁର୍ନୀତି ବିରୋଧରେ ବିଜେପିକୁ ଭୋଟ୍ ଦେଇ ରାଜ୍ୟରେ କ୍ଷମତା ଦେଲେ । ଏବେ କ୍ଷମତାକୁ ଆସିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୁର୍ନୀତିକାରୀଙ୍କୁ ଛାଡିବୁନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେଉଁମାନେ ଓଡିଶାକୁ ଲୁଟିଛନ୍ତି, ଯେଉଁମାନେ ମାଫିଆ ଡନ୍ ସାଜି ଓଡିଶାର ଅର୍ଥନୀତିକୁ ଦୁର୍ବଳ କରିଛନ୍ତି, ବିଜେପି ସରକାର ସେମାନଙ୍କୁ କ୍ଷମା ଦେବେନି । ଯଥା ସମୟରେ ତଦନ୍ତ ହେବ ଦୋଷୀ ଦଣ୍ଡ ପାଇବ। ଦୋଷୀ ତାମିଲନାଡୁର ହେଉ କି ଅନ୍ୟ କୌଣସି ରାଜ୍ୟର ଆକ୍ସନ୍ ହେବ । ରାଜ୍ୟରୁ ଲୁଟ୍ ହୋଇଥିବା ସଂପତ୍ତି ଓଡିଶା ରାଜକୋଷକୁ ଫେରାଇ ଅଣାଯିବ ବୋଲି ମୋହନ ମାଝୀ କହିଛନ୍ତି। ସେହିପରି ରତ୍ନଭଣ୍ଡାର ଚାବି କୁଆଡେ ଗଲା? ତାର ପର୍ଦ୍ଦାଫାସ ହେବା ସହ ରତ୍ନଭଣ୍ଡାର ଖୋଲାଯାଇ ରାଜ୍ୟବାସୀଙ୍କ ଆଗରେ ସବୁ ତଥ୍ୟ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ, ହେବ ଆକ୍ସନ୍ !

ଖଣି ହେଉ କି ଚିଟଫଣ୍ଡ ଦୁର୍ନୀତି କିମ୍ବା ବ୍ଲାକରୋଜ୍ ଜାହାଜ ବୁଡି ମାମଲା, ବିଜେଡିର ବହୁ ହେଭିଓ୍ବେଟ୍ ନେତାଙ୍କ ନାଁ ଆସିଛି। ପୂର୍ବରୁ ବିଜେଡିର ନମ୍ବର ଟୁ ରହିଥିବା ଭିକେ ପାଣ୍ଡିଆନଙ୍କ ନାଁ ବି ଉଠିଛି। ତେଣୁ ଏସବୁ ପୁରୁଣା ଫାଇଲ୍ ଖୋଲି ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବେ କି ମୋହନ ସରକାର? ହାଇପ୍ରୋଫାଇଲ୍ ମାମଲାର ତଦନ୍ତ ହେଲେ ଅନେକ ନାଁ ସାମନାକୁ ଆସିବ । ଅନେକ ଲିଙ୍କ ଉପରୁ ବି ପରଦା ହଟିବ । ହେଲେ ବିଜେପି ସରକାର ପାଇଁ ସହଜ ହେବନି ଏଭଳି ବଡ ମାମଲାର ତଦନ୍ତ । ନବ ଦାସ ହତ୍ୟା ମାମଲା ହେଉ କି ବହୁଚର୍ଚ୍ଚିତ ପରୀ ଓ ମମିତା ମେହେର ହତ୍ୟାକାଣ୍ଡ । ବିଜେଡି ସରକାରରେ ହୋଇଥିବା ତଦନ୍ତ ଉପରେ ଅନେକ ସମୟରେ ପ୍ରଶ୍ନ ଉଠିଛି । ଏସବୁ ମାମଲାର ଫାଇଲ୍ ପୁଣି ଖୋଲାଯିବ କି? ପୁଣି ତଦନ୍ତ ହେଲେ ବଡବଡିଆ ଫସିବେ ନା ଖସିଯିବେ?

ତଦନ୍ତ ବାଟରେ ସମଝୌତା ବାଧା !

ଗତ ୫ବର୍ଷ ହେଲା ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ନେଇ ବାରମ୍ବାର ଚର୍ଚ୍ଚା ହୋଇଛି । କଂଗ୍ରେସ ବି ଅନେକ ଥର ଉଭୟ ଦଳ ଏକାଠି ଥିବା ଅଭିଯୋଗ କରିଛି। ସଂସଦରେ ମୋଦି ସରକାର ପାଇଁ ବିଜେଡି ବିପଦ ବେଳର ବନ୍ଧୁ ସାଜିଛି ତ ରାଜ୍ୟରେ ବିରୋଧ ନାଁରେ ବିଜେପି ଅଳ୍ପ କହି ଅଧିକ ଢୋକିଛି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ବି ସେମିତି ଉଠାଇନି ବିଜେଡି । ନିର୍ବାଚନ ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିବା ବିଜେପି ନେତାଙ୍କର ଆବଭାବ ଶପଥ ଗ୍ରହଣ ସମାରୋହରେ ବଦଳିଛି। ଯେଉଁଭଳି ଭାବେ ନବୀନଙ୍କୁ ମୋଦିଙ୍କ ସମେତ ଅନ୍ୟ ବିଜେପି ନେତା ସ୍ବାଗତ କରିଥିଲେ, ସେଥିରୁ ଭିନ୍ନ ସନ୍ଦେଶ ବି ମିଳୁଛି । ତେଣୁ ସବୁ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଦମ୍ଭ ଦେଖାଉଥିବା ମୋହନ ସରକାର ଆଗରେ ବଡ ଚ୍ୟାଲେଞ୍ଜ ହୋଇପାରେ ବିଜେଡି ସହ ବିଜେପି କେନ୍ଦ୍ରୀୟ ନେତାଙ୍କ ଦୋସ୍ତାନା।

ତଦନ୍ତ ନକଲେ ବିଶ୍ବାସ ଉଠିଯିବ

ଦୁର୍ନୀତି ହଟାଓ ନାରା ଲଗାଇ ରାଜ୍ୟରେ ପ୍ରଥମ ଥର ପାଇଁ ଶାସନକୁ ଆସିଛି ବିଜେପି । ତେଣୁ ସରକାରର ପ୍ରତିଟି ପଦକ୍ଷେପ ଉପରେ ନଜର ରଖିଛନ୍ତି ଜନତା । ଯେଉଁ ଭରସାରେ ବିଜେପିକୁ ବାଛିଥିଲେ, ସେ ଭରସା ଭାଙ୍ଗିଲେ ହୁଏତ ତାର ଜବାବ ଆଗାମୀ ନିର୍ବାଚନ ବେଳେ ବି ଦେଇପାରନ୍ତି। ରାଜ୍ୟ ସହ କେନ୍ଦ୍ରରେ ବି ବିଜେପି ସରକାରରେ ରହିଛି । ତେଣୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ହାଇପ୍ରୋଫାଇଲ୍ ମାମଲାର ତଦନ୍ତ କରିବା ନେଇ ବାହାନା କରିପାରିବେନି ରାଜ୍ୟ ସରକାର । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ବିଜେଡି ସରକାରର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଟାର୍ଗେଟ୍ କରୁଥିଲେ ରାଜ୍ୟ ବିଜେପି ନେତା। ଏବେ ଲୋକଙ୍କୁ ହିସାବ ଦେବାକୁ ପଡିବ । ହେଲେ ପରିବର୍ତ୍ତିତ ସମୀକରଣରେ ବିଜେଡି ବିଜେପି ସଂପର୍କର ଭବିଷ୍ୟତ କଣ ରହିବ? ବିଭିନ୍ନ ମାମଲାରେ ସଂପୃକ୍ତି ନେଇ ପ୍ରମାଣ ମିଳିଲେ କାଠଗଡାକୁ ଟଣାହେବେ କି ବିଜେଡି ନେତା ? ନା ରାଜନୈତିକ ଫାଇଦା ପାଇଁ ବର୍ଷ ବର୍ଷ ଗଡ଼ିବ ତଦନ୍ତ ?

Leave A Reply

Your email address will not be published.