Latest Odisha News

BREAKING NEWS

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ୍‌ ରୂପେ ମିଳିବ। ଏହା ବ୍ୟତୀତ କମ୍ପାନୀ ଦ୍ୱାରା ୧୦ ଲକ୍ଷ ଟଙ୍କାର ଲକି ଡ୍ର ମଧ୍ୟ ରଖାଯାଇଛି।

କମ୍ପାନୀର ସିଇଓ ନୀତିନ୍‌ କାମତ କହିଛନ୍ତି ଯେ ତାଙ୍କର ଏହି ପଦକ୍ଷେପ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଆଯାଇଛି। ଫିଟ୍ ରହିବାକୁ ଦୈନିକ ଲକ୍ଷ୍ୟ ସ୍ଥିର କରିବାକୁ ସେ କର୍ମଚାରୀମାନଙ୍କୁ କହିଛନ୍ତି। ଯେକୌଣସି କର୍ମଚାରୀ ବର୍ଷେ ଯାଏଁ ପ୍ରତିଦିନ ଏହି ଲକ୍ଷ୍ୟର ୯୦ ପ୍ରତିଶତ ହାସଲ କରନ୍ତି, ତେବେ ତାଙ୍କୁ ଗୋଟିଏ ମାସର ଦରମା ବୋନସ୍ ରୂପେ ଦିଆଯିବ।

କାମତ କହିଛନ୍ତି, ଆମ ଟିମର ଅଧିକାଂଶ ଲୋକ ଘରୁ କାମ କରୁଛନ୍ତି। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କର ଧୂମପାନ କରିବା ଏବଂ ଗୋଟିଏ ସ୍ଥାନରେ ବସି ରହିବା ଅଭ୍ୟାସରେ ପରିଣତ ହୋଇଛି। ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଛି। ଏଭଳି ପରିସ୍ଥିତିରେ ସେ କର୍ମଚାରୀମାନଙ୍କୁ ଏକ ଫିଟନେସ୍ ଟ୍ରାକର ବ୍ୟବହାର କରିବା ସହ ପ୍ରତିଦିନ ଏକ ଲକ୍ଷ୍ୟ ସ୍ଥିର କରିବାକୁ କହିଛନ୍ତି। ବୋନସ୍ ଭାବରେ ଅତିରିକ୍ତ ବେତନ ପାଇବାକୁ କର୍ମଚାରୀମାନଙ୍କୁ ଦୈନିକ ଲକ୍ଷ୍ୟର ୯୦ ପ୍ରତିଶତ ହାସଲ କରିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଜିରୋଧା ପୂର୍ବରୁ ମଧ୍ୟ ନିଜ କର୍ମଚାରୀଙ୍କ ପାଇଁ ଓଜନ ହ୍ରାସ କରିବା ଚ୍ୟାଲେଞ୍ଜ ଦେଇଥିଲା। ଯେଉଁ କର୍ମଚାରୀଙ୍କ ବିଏମ୍‌ଆଇ ୨୫ରୁ କମ୍‌, ସେମାନଙ୍କୁ ଅଧ ମାସର ଦରମା ବୋନସ୍‌ ରୂପେ ମିଳିବ। କେବଳ ଏତିକି ନୁହେଁ, ଯେଉଁ କର୍ମଚାରୀ ନିଜ ବିଏମ୍‌ଆଇକୁ ୨୪ରୁ ତଳକୁ ଆଣିବେ ସେମାନଙ୍କୁ ଆଉ ଅଧ ମାସର ଦରମା ବୋନସ୍‌ ଭାବେ ମିଳିବ। କାମତଙ୍କ କହିବାନୁସାରେ, ଜିରୋଧା ଏବେ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପ୍ରୋଗାମ୍‌ରେ କର୍ମଚାରୀଙ୍କୁ ଫିଟ୍‌ ରହିବା ପାଇଁ ପ୍ରୋତ୍ସାହିତ କରାଯାଉଛି।

Comments are closed.