ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋରୁ ଖାଦ୍ୟ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଏବେ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପୂର୍ବ ଅପେକ୍ଷା ଆହୁରି ମହଙ୍ଗା ହେବାକୁ ଯାଉଛି । ବିଶେଷ କରି ଯେଉଁ ଗ୍ରାହକମାନେ ଅର୍ଡର କରିବା ସମୟରେ ‘କ୍ୟାସ୍ ଅନ୍ ଡେଲିଭରି’ ଅର୍ଥାତ୍ ଘରେ ଖାଦ୍ୟ ପହଞ୍ଚିବା ପରେ ନଗଦ ଅର୍ଥ ଦେବାର ବିକଳ୍ପ ବାଛୁଛନ୍ତି, ସେମାନଙ୍କୁ ଏବେଠାରୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ଆପ୍ର ବିଲ୍ ବିବରଣୀରେ ଏହି ନୂଆ ଦେୟ ‘ପେ ଅନ୍ ଡେଲିଭରି ଫି’ ନାମରେ ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଜୋମାଟୋ ପକ୍ଷରୁ ନୂଆକରି ଲାଗୁ କରାଯାଇଥିବା ଏହି ଅତିରିକ୍ତ ଶୁଳ୍କ ୫ ଟଙ୍କାରୁ ଆରମ୍ଭ କରି ୨୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅବଶ୍ୟ ଏହି ଦେୟ ସବୁ ଗ୍ରାହକ କିମ୍ବା ସମସ୍ତ ପ୍ରକାରର ଅର୍ଡର ପାଇଁ ସମାନ ନୁହେଁ । ଅର୍ଡରର ମୂଲ୍ୟ, ଦୂରତା ବା ଲୋକେସନ୍ ଏବଂ ଭିନ୍ନ ଭିନ୍ନ ଗ୍ରାହକଙ୍କ ଉପରେ ଭିତ୍ତି କରି ଏହି ଚାର୍ଜରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏଥିରେ ଏକ ଆଶ୍ୱସ୍ତିକର କଥା ହେଉଛି ଯେ, ଯେଉଁ ଗ୍ରାହକମାନେ ୟୁପିଆଇ, କ୍ରେଡିଟ୍ ବା ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ୍ ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କରୁଛନ୍ତି, ସେମାନଙ୍କୁ ଏହି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ । ନଗଦ କାରବାରକୁ କମାଇ ଅଧିକରୁ ଅଧିକ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ କମ୍ପାନୀର ଲାଭ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି । ତେବେ ଜୋମାଟୋ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କିମ୍ବା ସ୍ପଷ୍ଟୀକରଣ ଏଯାଏଁ ଆସିନାହିଁ ।
ସାଧାରଣତଃ ଜୋମାଟୋ ଖାଦ୍ୟର ମୂଲ୍ୟ ସହିତ ପ୍ଲାଟଫର୍ମ ଫି, ରେଷ୍ଟୁରାଣ୍ଟ ପ୍ୟାକେଜିଂ ଚାର୍ଜ, ଡେଲିଭରି ଚାର୍ଜ ଏବଂ ଜିଏସଟି ପରି ଅନେକ ଶୁଳ୍କ ଆଦାୟ କରିଥାଏ । ବର୍ତ୍ତମାନ ଏଥିରେ କ୍ୟାସ୍ ଅନ୍ ଡେଲିଭରି ଶୁଳ୍କ ଯୋଡ଼ି ହୋଇଛି । ଗତ ୨୦୨୩ ମସିହା ଏପ୍ରିଲ୍ ମାସରେ କମ୍ପାନୀ ପ୍ରତି ଅର୍ଡର ପିଛା କେବଳ ୨ ଟଙ୍କା ପ୍ଲାଟଫର୍ମ ଫି ଆଦାୟ କରିବା ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ବଢ଼ି ବଢ଼ି ୧୪ ଟଙ୍କାରୁ ଅଧିକ ହୋଇଗଲାଣି ।
ଆପଣଙ୍କୁ ୫ କିମ୍ବା ୧୦ ଟଙ୍କାର ଏହି ଦେୟ ଖୁବ୍ ଛୋଟ ଲାଗୁଥାଇପାରେ, କିନ୍ତୁ ବାଣିଜ୍ୟିକ ଦୃଷ୍ଟିକୋଣରୁ ବିଚାର କଲେ ଏହା କମ୍ପାନୀର ରାଜସ୍ୱ ବୃଦ୍ଧିରେ ଏକ ବଡ଼ ସହାୟକ ହେବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋମାଟୋ ପ୍ରତିଦିନ ସାରା ଦେଶରୁ ପ୍ରାୟ ୨୩ ରୁ ୨୫ ଲକ୍ଷ ଅର୍ଡର ପାଇଥାଏ। ଯଦି ଏଥିରୁ ଏକ ଛୋଟ ଅଂଶ ମଧ୍ୟ କ୍ୟାସ୍ ଅନ୍ ଡେଲିଭରି ବାଛନ୍ତି, ତେବେ କମ୍ପାନୀ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଅତିରିକ୍ତ ଲାଭ ପାଇବ। ଅନ୍ୟପକ୍ଷରେ, ଜୋମାଟୋର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆପ୍ ‘ସୁଇଗି’ ବର୍ତ୍ତମାନ ସୁଦ୍ଧା ନିଜ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ କ୍ୟାସ୍ ଅନ୍ ଡେଲିଭରି ଦେୟ ଲାଗୁ କରିନାହିଁ । ତେଣୁ ଜୋମାଟୋର ଏହି ନିଷ୍ପତ୍ତି ଆଗାମୀ ଦିନରେ ବଜାର ପ୍ରତିଯୋଗିତା ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।

