Latest Odisha News

BREAKING NEWS

ଥାଳି ଦରରେ ଏବେ ଶ୍ରୀଜଗନ୍ନାଥଙ୍କ ଅବଢା ମିଳିପାରିବ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଅବଢା ଏବେ ଥାଳି ଦରରେ ମିଳିବ । ଭକ୍ତମାନେ ଯେପରି ଅବଢା ଉଚିତ ଦରରେ ନେଇ ପାରିବେ ସେଥିଲାଗି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ସୁଆରମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ମହାପ୍ରସାଦ ଏବେ ଥାଳି ଦରରେ ଭକ୍ତମାନଙ୍କ ଲାଗି ବିକ୍ରି ହେବ ବୋଲି ବୁଧବାର ଦିନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

ସୁଆର-ମହାସୁଆର ନିଯୋଗ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, “ଏବେ ସୁଆରମାନେ ଅବଢା ଲାଗି ଅଧିକ ଦର କରିପାରିବେ ନାହିଁ, ଏବେ ମହାପ୍ରସାଦ ଥାଳି ଦରରେ ମିଳିବାକୁ ଯାଉଛି । ଏବେ ମହାପ୍ରସାଦ ଗୋଟିଏ ଥାଳି ପିଛା ୭୦ଟଙ୍କା, ୮୦ଟଙ୍କା ଏବଂ ୧୨୦ଟଙ୍କା ଦରରେ ମିଳିପାରିବ ।”

ତେବେ ୭୦ ଟଙ୍କାର ମହାପ୍ରସାଦ ଥାଳିରେ ସାଦା ଅନ୍ନ, ଡ଼ାଲି ଏବଂ ଦୁଇ ପ୍ରକାରର ତରକାରି ମିଳିବ । ୮୦ ଟଙ୍କାର ଥାଳିରେ ଆଉ ଦୁଇ ପ୍ରକାରର ତରକାରୀ ଏଥିରେ ଯୋଗ ହେବ । ତେବେ ୧୨୦ ଟଙ୍କା ମହାପ୍ରସାଦ ଥାଳିରେ କାନିକା, ଖିରୀ, ଘିଅଅନ୍ନ ସହିତ ୪ ପ୍ରକାର ତରକାରୀ ମିଳିପାରିବ । ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

ସେ ମଧ୍ୟ ସୂଚନାଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ବାଇଶି ପାହାଚ, ଆନନ୍ଦବଜାର ଏବଂ ୪ଟି ଦୁଆର ନିକଟରେ ଏହି ଥାଳି ଚାର୍ଟ ଲଗାଯିବାର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଆନନ୍ଦବଜାରରେ ତାରପୋଲିନ କିମ୍ବା ପଲିଥିନ ଜରିର ବ୍ୟବହାର ଆନନ୍ଦବଜାରରେ ନକରାଯିବାକୁ ସୁଆରମାନେ ଜଣାଇଛନ୍ତି ।

ସୁଆରସେବକ ଏକ ବର୍ଷ ଲାଗି ଶ୍ରୀମନ୍ଦିର ରୋଷଘର ଦାୟିତ୍ୱ ଲିଜରେ ନେବେ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଅଣସେବକମାନଙ୍କ ଦ୍ୱାରା ମହାପ୍ରସାଦ ବିକ୍ରି ନହେବାର ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.