Latest Odisha News

BREAKING NEWS

ଅନ୍ଧକାର

ଅନ୍ଧକାର

ଶିବାନନ୍ଦ ବନଛୋର

ହେ ଅନ୍ଧକାର…
ତୁମେ ତ ବଡ ଲାଜକୁରା !

ଯଦି ନୁହେଁ ତ କାହିଁକି ଲୁଚିଛ ଯେ
କଣ ଲୁଚକାଳିର ଖେଳରେ
ମତେ ପରାସ୍ତର ରାସ୍ତା ଦେଖାଇବାକୁ
ଶକୁନିର ଚାଲ ଚଲାଉଛ କି ।

କ’ଣ ବୁଢ଼ୀ ଅସୁରୁଣୀର କଥା କହି
ଭୟର ଏକ ଦୁର୍ଗମ ଦୂର୍ଗରେ
ଚିର ବନ୍ଦୀ କରିବାର ପ୍ରୟାସ କରୁଛ କି?

ବୁଢ଼ା ବିଲୁଆର ହୁକେ ହୋ ଶବ୍ଦରେ
ପେଚାର ଛାତିଫଟା ଚିତ୍କାରରେ
ରାତ୍ରି ପୋକର ଝିଁ ଝିଁ ଧ୍ୱନିରେ
ବିଚଳିତ ହେବି ଭାବୁଛ କି ?

ସମସ୍ତଙ୍କୁ ନିଦ୍ରାର ମଦିରା ଦେଇ
ଚେତା ଶୂନ୍ୟ କରି
ମତେ ଏକା କରି
ନିସଙ୍ଗତାରେ ଜଳାଇବାକୁ ଚେଷ୍ଟା କରୁଛ କି ?

ହେଲେ କାହିଁ ଏତେ ବୃଥା ପରିଶ୍ରମ ଯେ
ନା ବୁଢ଼ୀ ଅସୁରୁଣୀ ,ନା ବିଲୁଆର ଶବ୍ଦ
ନା ପେଚାର ବୁକୁଫଟା ଚିତ୍କାର
ସବୁ ତ ମୋ ପାଖେ ମୂଲ୍ୟହୀନ
ମୁଁ ବା ଏମାନଙ୍କୁ କାହିଁ ଡରିବି ଯେ ?

ମୁଁ ତ ଡରେ..
ମଣିଷରୂପୀ ରାକ୍ଷସକୁ
ବିଶ୍ୱାସଘାତୀ ସର୍ପକୁ
ଆଉ ତା ପ୍ରାଣନାଶିନୀ ବିଷକୁ
ହେଲେ ସେ ବି ତ ତୁମ ଅନ୍ଧାରରେ
ନିଦ୍ରା ସହ ମସଗୁଲ
ତ କାହାକୁ ଡରିବି ଯେ
ତୁମେ ହେଲେ କୁହ ?

ଭାବୁଛ କି ମୁଁ ନିସଙ୍ଗ,ଏକାକୀ!
ତୁମେ ପରା ଅଛ ମୋ ସହ
ତୁମେ ହିଁ ତ ମୋ ପ୍ରିୟ ମିତ୍ର, ପ୍ରକୃତ ବନ୍ଧୁ
ମୋ ଦିବସକ୍ଳାନ୍ତ ଅବଶ ମନରେ
ମରମ ଲଗାଉଥିବା ଦରଦୀ ବନ୍ଧୁ ।

Leave A Reply

Your email address will not be published.