କୋଲକତା: ପଶ୍ଚିମବଙ୍ଗ ରାଜନୀତିରେ ସବୁଠୁ ବଡ଼ ବିପର୍ଯ୍ୟୟ ! ଯେଉଁ ଭବାନୀପୁର ଆସନକୁ ମମତା ବାନାର୍ଜୀ ନିଜର ସବୁଠୁ ନିରାପଦ ଗଡ଼ ବୋଲି ଭାବୁଥିଲେ, ସେହିଠାରେ ହିଁ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ମାତ୍ ଦେଇଛନ୍ତି। ୨୦୨୧ରେ ନନ୍ଦୀଗ୍ରାମ ଏବଂ ୨୦୨୬ରେ ଭବାନୀପୁର—ଲଗାତାର ଦ୍ୱିତୀୟ ଥର ପାଇଁ ନିଜର ପୂର୍ବତନ ବସ୍ଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ପ୍ରାୟ ୧୫ ହଜାର ଭୋଟ୍ ବ୍ୟବଧାନରେ ମମତାଙ୍କୁ ହରାଇ ଶୁଭେନ୍ଦୁ ଏବେ ବଙ୍ଗଳା ରାଜନୀତିର ‘ଜିଆଣ୍ଟ କିଲର’ ସାଜିଛନ୍ତି।
ଏହି ପରାଜୟ କେବଳ ଏକ ଆସନର ହାର ନୁହେଁ, ବରଂ ମମତାଙ୍କ ପାଇଁ ଏକ ବଡ଼ ଅପମାନ। କାରଣ କାଳୀଘାଟ ପରି ସମ୍ବେଦନଶୀଳ ଅଞ୍ଚଳ ଏହି ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଂଶୋଧନ ବା SIR ପ୍ରକ୍ରିୟାରେ ଭବାନୀପୁର ଭୋଟର ତାଲିକାରୁ ପ୍ରାୟ ୪୭ ହଜାର ନାମ କଟାଯିବା ଟିଏମସି ପାଇଁ ମହଙ୍ଗା ପଡ଼ିଛି। ମୁସଲିମ ଭୋଟ୍ ବ୍ୟାଙ୍କ ହଟାଇବା ସହ ବଙ୍ଗାଳୀ ହିନ୍ଦୁ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାରେ ସଫଳ ହୋଇଛି ବିଜେପି। ଏପରିକି ଗୁଜରାଟ ଏବଂ ରାଜସ୍ଥାନର ବିଜେପି ନେତାମାନେ ଭବାନୀପୁରରେ ଡେରା ପକାଇ ବିଜେପିର ଏହି ‘ଚକ୍ରବ୍ୟୂହ’କୁ ସଫଳ କରିଛନ୍ତି।
ତେବେ ମମତାଙ୍କ ପରାଜୟ ପଛରେ ରହିଛି ଅନେକ ବଡ଼ କାରଣ। ଆରଜି କର ମେଡିକାଲ କଲେଜ କାଣ୍ଡ ପରେ ମହିଳା ସୁରକ୍ଷାକୁ ନେଇ ମମତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିଲା। ‘ଲକ୍ଷ୍ମୀର ଭଣ୍ଡାର’ ଭଳି ଯୋଜନା ଶିକ୍ଷିତ ମହିଳା ଭୋଟରଙ୍କୁ ଆଉ ଆକୃଷ୍ଟ କରିପାରିଲାନି। ଶାସନ ବିରୋଧୀ ହାୱା, ଦୁର୍ନୀତି ଏବଂ ସିଣ୍ଡିକେଟ୍ ରାଜ୍ ବିରୋଧରେ ଜନତା ଦେଇଛନ୍ତି ଶାଣିତ ଜବାବ।
ଶୁଭେନ୍ଦୁ ଅଧିକାରୀଙ୍କ ଏହି ବିଜୟ ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଶୁଭେନ୍ଦୁ କହିଛନ୍ତି ଯେ, ଏହା ମମତାଙ୍କ ‘ରାଜନୈତିକ ସନ୍ନ୍ୟାସ’ର ଆରମ୍ଭ।
ପଶ୍ଚିମବଙ୍ଗରେ ଟିଏମସିର ୧୫ ବର୍ଷର ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଥିବା ବେଳେ, ବିଜେପି ଏବେ କ୍ଷମତା ଦଖଲ କରିବାକୁ ଯାଉଛି। ଭବାନୀପୁରର ଏହି ଐତିହାସିକ ଲଢ଼େଇ ଦେଶର ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି।