Latest Odisha News

BREAKING NEWS

ଟିକେ ବିରତି ନେବା

ଟିକେ ବିରତି ନେବା
ଲୋପାମୁଦ୍ରା ନାୟକ

ଚାଲ ପ୍ରିୟ !!!
ତୁମ ଓଠର ଶୋଷକୁ
ମୋ ଓଠରେ ନ ମାରି
ନିଜ’ନିଜକୁ ଚାରିଫୁଟିଆ ଘରେ ବନ୍ଦ କରିଦେବା
ଗୁରୁଣ୍ତି ଗୁରୁଣ୍ଡି ତାତିଟା ହାଁ ମେଲେଇବା ଉପରେ
ରାଜନୀତି ଚୁଲିରେ ଏବେ ବିରାଟ ବଡ ହାଣ୍ତି
ଅପମିଶ୍ରଣ ଚାଉଳ ଫୁଟିବାଫୁଟିବା ଉପରେ
କାଳେ କେ ଦାୟିତ୍ୱ ଲଦି ଫେରାର ହୋଇଯିବ
ପ୍ଲାଷ୍ଟିକ ଚାଉଳ
ଠିଆ ଡାଲି ଭଳି
ଆମର ବେଜିତ୍ କରିନେବ ॥

କ’ଣ ଭାବୁଛ ପ୍ରିୟ !
ଆଜିଠୁ ଏତେ ଦିନ, କେମିତି ରହିବ
ଆରେ ଦେଖୁନ ଏ ରାଜନୀତିକୁ
ପାଞ୍ଚବର୍ଷ ପରେ ଦେଖା ହୁଏ
ଅଚିହ୍ନା ମୁହଁ କେତେ ଚିହ୍ନା ଆଉ ,
ଚିହ୍ନା ମୁହଁ ପୁଣି ଚିହ୍ନା ।

ଆମ ସମ୍ପର୍କର ଜରିଟା ତ ରଙ୍ଗବେରଙ୍ଗ, ଚିକିଚିକିଆ
ସଫଳ ପରି ହାଇଡିମାଣ୍ଡ ଘୁଟକାଟାଏ
ଇଲେକ୍ସନ ତାତିରେ ତରଳିବାର ଅପେକ୍ଷା କାଇଁ ?
ତା’ ଆଗରୁ ମଦମାଂସର ଦାନ୍ତ ଚୋବେଇ ନେବ
ମରିଚ ଲୁଣ ଦଳି ସୁଡକାଏ ନେବା ଥୟ !

ପ୍ରେମିକପ୍ରେମିକାର ହୃଦୟ ବୁଝେ କଣ
ଦିକିଦିକି ସରକାରଙ୍କ ଗାଁ ଆଲୁଅ
ନା ବୁଝେ ବିରୋଧୀ ଦଳର
ରାତିରାତି ଆଲୁଅ ଭିତରେ ଚୋରପୁଲିସ ଖେଳ ।

ଚାଲ ପ୍ରିୟ !
ଏ ଦେହର ଉତ୍ତେଜନାସବୁକୁ
କିଛି ଦିନ ପାଇଁ ସାରିଦେଇ
ରାସ୍ତା କଡର ସେ କଠିନ ପଥର ପାଲଟି ଯିବା
ପୋଲ ହେବା ତ ଏଠି ପାପ !

ଚାଲ ପ୍ରିୟ ନିଜ ନିଜକୁ
ପୁଣି ଥରେ ସେଇ ଚାରିଫୁଟର ପଥର କାନ୍ଥରେ କଏଦ ଦେବା
ଗୋପବନ୍ଧୁ ପରି କାରାକବିତା ଲେଖିବା।
ଚାଲ ପ୍ରିୟ, ଚାଲ !

ଅନ୍ତତ୍ୟ ଏ ଇଲେକ୍ସନର ତାତିଟା ଥଣ୍ତା ହେବା ଯାଏ
ଆମେ ଟିକେ ବିରତି ନେବା ॥

……………….
କଳିଙ୍ଗନଗର,ଯାଜପୁର
ଦୂରଭାଷ:୮୦୧୮୮୭୨୩୩୧

Comments are closed.