INDIA Bloc Rally: ରାଲିକୁ ଆସ, ଆନ୍ଦୋଳନ କର…ହେଲେ ଦିଲ୍ଲୀ ବଜାରରୁ କିଣାକିଣି ବି କର! କାହିଁକି ଏମିତି ଅପିଲ୍ କଲେ ରାହୁଲ?
ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧୀଙ୍କ ମହାରାଲି ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଏକ ଅପିଲ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଲିକୁ ଆସିବେ, ପଦଯାତ୍ରାରେ ସାମିଲ ହେବେ, ଆଉ ଏହା ସହ ଦିଲ୍ଲୀର ଛୋଟ ଛୋଟ ଦୋକାନରୁ କିଣାକିଣି ମଧ୍ୟ କରିବେ। ଏଭଳି ଅପିଲ୍ କରି ଭିଡିଓ ଜାରି କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।
ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ INDIA ମେଣ୍ଟର ‘ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ’ ରାଲି ଆୟୋଜିତ ହେବାକୁ ଥିବାବେଳେ, ଏହା ପୂର୍ବରୁ ରାହୁଲ ଏହି ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ଲକ୍ଷ ଲକ୍ଷ ଲୋକ ରାଲି ଓ ପଦଯାତ୍ରାରେ ଯୋଗଦେବାକୁ ଆସୁଛନ୍ତି। ଏବେ ଦୀପାବଳି, ଛଟ୍ ଓ ଭାଇଦୂଜ୍ ଭଳି ପର୍ବର ସମୟ। ତେଣୁ ଦିଲ୍ଲୀ ଆସୁଥିବା ଲୋକେ ଏଠାକାର ସ୍ଥାନୀୟ ବ୍ୟବସାୟୀ ଓ ଛୋଟ ଦୋକାନୀଙ୍କଠାରୁ ସାମଗ୍ରୀ କିଣିବା ଉଚିତ୍। ଏହାଦ୍ୱାରା ପର୍ବ ସମୟରେ ଛୋଟ ବ୍ୟବସାୟୀଙ୍କ ବିକ୍ରି ବଢ଼ିବା ସହ ସେମାନଙ୍କୁ ଆର୍ଥିକ ସହାୟତା ମିଳିବ।
ରାହୁଲ ଆହୁରି କହିଛନ୍ତି, ରାଲି କିମ୍ବା ପ୍ରତିବାଦ ଯୋଗୁଁ ବ୍ୟବସାୟୀଙ୍କ କୌଣସି କ୍ଷତି ହେବ ନାହିଁ। ଏହି ପ୍ରସଙ୍ଗରେ ବିଜେପି ଅଯଥା ଅପପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ରାହୁଲ କିଛି ଏପରି ଅଫିଲ୍ କରିଛନ୍ତି । ତାଙ୍କ ଅପିଲ୍, ପ୍ରତିବାଦ କରନ୍ତୁ, ପଦଯାତ୍ରାରେ ଯୋଗଦିଅନ୍ତୁ, ରାଲିରେ ସାମିଲ ହୁଅନ୍ତୁ, ଆଉ ଟିକିଏ କିଣାକିଣି ମଧ୍ୟ କରନ୍ତୁ।
ତେବେ ରାହୁଲଙ୍କ ଏହି ଅପିଲ୍ ପୂର୍ବରୁ ଦିଲ୍ଲୀର ବ୍ୟବସାୟୀ ସଂଗଠନଗୁଡ଼ିକ ରାଲିକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଦିଲ୍ଲୀର ୧୨ଟି ମାର୍କେଟ୍ ସଂଘ ମିଳିତ ଭାବେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଲି ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ସଦର ବଜାର ବାରି ମାର୍କେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ପରମଜିତ ସିଂହ ପମ୍ମା କହିଥିଲେ, ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରାଲିକୁ କିଛି ଦିନ ଘୁଞ୍ଚାଇବାକୁ ସେମାନେ ଦାବି କରୁଛନ୍ତି। ସେ ରାହୁଲଙ୍କ ‘ମହବତ୍ର ଦୋକାନ’ ମନ୍ତବ୍ୟକୁ ଉଲ୍ଲେଖ କରି ପ୍ରଶ୍ନ କରିଥିଲେ, ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବ୍ୟବସାୟୀଙ୍କ ଦୋକାନ କାହିଁକି ପ୍ରଭାବିତ ହେବ? ତାଙ୍କ ଅଭିଯୋଗ ଅନୁସାରେ, ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହେଉଥିବାରୁ କିଛି ଲୋକ ଦିଲ୍ଲୀ ଆସିବା ପାଇଁ କରିଥିବା ଟିକେଟ୍ ମଧ୍ୟ ବାତିଲ କରୁଛନ୍ତି।
