Latest Odisha News

BREAKING NEWS

ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ଭ୍ରମଣ ପାଇଁ ଆଗୁଆ କରିବାକୁ ହେବ ଅନଲାଇନ୍ ବୁକିଂ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଖୋଲି ଦିଆଯାଇଛି । ଏନେଇ ଆଜି ଖଇରୀ ନିବାସ ଠାରେ ବିଧିବଦ୍ଧ ଭାବେ ଶିମିଳିପାଳକୁ ପ୍ରବେଶ ପାଇଁ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।

ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ରହିଛି । ତେବେ ସକାଳ ୫ ଟାରୁ ୯ଟା ପର୍ଯ୍ୟନ୍ତ ଯଶିପୁର ପଟୁ କାଳିକାପ୍ରସାଦ ତନଖି ଫାଟକ ଦେଇ ୩୫ଟି ଗାଡି ଓ ସକାଳ ୮ ଟାରୁ ୯ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ବୋଲି ସୂଚନା ରହିଛି ।

ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ଅଫଳାଇନ୍ ପ୍ରବେଶ ପତ୍ର ବନ୍ଦ ରହିଥିବା ବେଳେ କେବଳ www.shimilipal.org ଓ୍ବେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ । ସେହିପରି ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ଓ୍ବେବସାଇଟରେ ବୁକିଂ କରି ପାରିବେ, ଆଜି ଯଶିପୁର ଓ ପୀଠାବଟା ଠାରେ ପର୍ଯ୍ୟଟକଙ୍କୁ ବିପୁଳ ଭାବେ ସ୍ୱାଗତ କରାଯାଇଛି ।

ଚଳିତ ପର୍ଯ୍ୟଟନ ଋତୁରେ ସ୍ଥାନୀୟ ପରିବେଶ ଉନ୍ନୟନ ସମିତି (ଇଡିସି) ପକ୍ଷରୁ ପରିଚାଳିତ ଖୋଲା ଜିପ୍ ସଫାରିର ମଜା ନେଇପାରିବେ ପର୍ଯ୍ୟଟକ । ଗୁଡୁଗୁଡ଼ିଆ, ପିଠାବଟା, ଜାମୁଆଣି, ତାଳବନ୍ଧ ଓ ବରେହିପାଣିରୁ ସଫାରି ସୁବିଧା ଉପଲବ୍ଧ ହେବ । ଏଥିପାଇଁ ରାଜ୍ୟ ଇକୋ-ଟୁର ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିବାକୁ ହେବ । ସକାଳ ସଫାରି ଭୋର ୫ଟା ୩୦ରୁ ୫ ଘଣ୍ଟା ଏବଂ ଅପରାହ୍ନ ସଫାରି ଦିନ ୨ଟାରୁ ୪ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.