Latest Odisha News

BREAKING NEWS

ରାହୁଲଙ୍କୁ ଶର୍ମିଳାଙ୍କ ହାତ ଧରିବାକୁ ଦେବେନି !

ଭୁବନେଶ୍ୱର: ତେଲେଙ୍ଗାନାରେ ଛିଡିପାରୁନି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟରେ ଅଙ୍କ। ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା କଂଗ୍ରେସରେ ମିଶିବା ନେଇ ଉଦ୍ୟମ କରିବା ସହ ଏ ନେଇ କଂଗ୍ରେସ ପକ୍ଷରୁ ଗ୍ରୀନ ସିଗନାଲ ମିଳିଥିଲେ ମଧ୍ୟ ନିଷ୍ପତ୍ତି ହୋଇପାରୁ ନାହିଁ।

କଂଗ୍ରେସର ରାଜ୍ୟ ନେତୃତ୍ୱ ଶର୍ମିଳାଙ୍କୁ ଗ୍ରହଣ କରିପାରୁ ନ ଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱ ତେଲେଙ୍ଗାନାରେ ଶର୍ମିଳାଙ୍କୁ ସାମିଲ କଲେ ଏହାର ପରିଣତି ସମ୍ପର୍କରେ ସମୀକ୍ଷା କରୁଥିବା କୁହାଯାଉଛି। ବର୍ତ୍ତମାନ କଂଗ୍ରେସର ବ୍ଲୁଆଏଡ଼ ବୟ କୁହାଯାଉଥିବା ସୁନୀଲ କାନୁଗୋଲୁଙ୍କୁ ଏ ସମ୍ପର୍କରେ ତଦାରଖ କରିବାକୁ କୁହାଯାଇଛି।

ଶର୍ମିଳାଙ୍କ କଂଗ୍ରେସରେ ପ୍ରବେଶ ତେଲେଙ୍ଗାନାରେ କିଭଳି ପ୍ରଭାବ ପକାଇବ ସେ ନେଇ ସୁନୀଲ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରୁଛନ୍ତି। ଶର୍ମିଳା ତେଲେଙ୍ଗାନାରେ କଂଗ୍ରେସ ସହ ମିଶିଲେ ଭଲ ପ୍ରଦର୍ଶନ କରିବେ କିମ୍ବା ତାଙ୍କ ନିଜର ଗୃହରାଜ୍ୟ ଆନ୍ଧ୍ରପ୍ରଦେଶରେ ଅଧିକ ପ୍ରଭାବୀ ହେବେ ତାକୁ ନେଇ ସୁନୀଲ ଅଙ୍କ କସୁଛନ୍ତି।

ଜୁନ ୨୮ ତାରିଖରେ ସୁନୀଲ ତେଲେଙ୍ଗାନା ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ବର ବୈଠକରେ ଯୋଗ ଦେଇଥିଲେ। ତେଣୁ କଣ କଲେ ଠିକ ହେବ ସ୍ଥିର ହୋଇପାରି ନ ଥିବାରୁ ଶର୍ମିଳାଙ୍କ ସହ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କ ବୈଠକ ସ୍ଥିର ହୋଇନାହିଁ।

ଜୁଲାଇ ଆଠ ତାରିଖରେ ଶର୍ମିଳା ତାଙ୍କ ଦଳ ୱାଇ ଏସ ଆର ତେଲେଙ୍ଗାନା ଦଳକୁ କଂଗ୍ରେସ ସହ ମିଶ୍ରଣ କରିବେ ବୋଲି ଚୂଡାନ୍ତ ହୋଇଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ତେଲେଙ୍ଗାନା ରାଜ୍ୟ କଂଗ୍ରେସ ସଭାପତି ରେଭନଥ ରେଡ୍ଡୀ ଏବଂ ଅନ୍ୟ କିଛି ନେତୃବୃନ୍ଦ ଶର୍ମିଳାଙ୍କ ଏଣ୍ଟ୍ରି ନେଇ ବିରୋଧ କରୁଥିବାରୁ କଂଗ୍ରେସ କିଛି ନିଷ୍ପତ୍ତି ନେଇପାରୁନାହିଁ।

ଏପରିକି ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀ ତେଲେଙ୍ଗାନା ଗଠନକୁ ବିରୋଧ କରୁଥିବା ବେଳେ ଶର୍ମିଳା ତାଙ୍କ ଝିଅ ହୋଇଥିବାରୁ ଦଳ ପାଇଁ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି।

ଏପରିକି ପୂର୍ବରୁ ତେଲେଙ୍ଗାନା ରାଜ୍ୟ ଗଠନ ବିରୋଧରେ ଶର୍ମିଳାଙ୍କ କିଛି ମନ୍ତବ୍ୟ ଦଳ ପାଇଁ ନିର୍ବାଚନ ବର୍ଷରେ କ୍ଷତିକାରକ ହୋଇପାରେ। ୨୦୧୮ ମସିହାରେ ତେଲେଙ୍ଗାନାରେ ତେଲଗୁ ଦେଶମ ପାର୍ଟି ସହ ମେଣ୍ଟ କରିବା ଯୋଗୁ ଦଳକୁ କ୍ଷତି ସହିବାକୁ ପଡିଥିବା ଉଦାହରଣ ଦିଆଯାଉଛି।

ତେଣୁ ଏସବୁ ଭିତରେ ଶର୍ମିଳାଙ୍କ ହାତ ଧରିବା ଅଭିଯାନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.