Latest Odisha News

BREAKING NEWS

ଭିଡ଼ ହିଂସାକୁ ସରକାରଙ୍କ ‘ନୋ ଟୋଲରେନ୍ସ’: ବାଲିଅନ୍ତା କେସ୍ ଏବେ କ୍ରାଇମବ୍ରାଞ୍ଚ ହାତରେ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଭିଡ଼ ହିଂସା ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ପଶ୍ଚିମବଙ୍ଗ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ଗୁରୁତ୍ୱ ଅନୁଭବ କରି ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ହାତକୁ ନେଇଛି। ଜଣେ ଡିଏସପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ରଙ୍କ ସୂଚନା ଅନୁଯାୟୀ, ରବିବାର ଦିନ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ବାଲିଅନ୍ତା ଥାନାକୁ ଯାଇ ବିଧିବଦ୍ଧ ଭାବେ କେସ୍ ଡାଏରୀ ଗ୍ରହଣ କରିବେ ଏବଂ ଘଟଣାର ଅନୁଧ୍ୟାନ ଆରମ୍ଭ କରିବେ।

ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଥାନା ଅଞ୍ଚଳରେ ଚୋରି ସନ୍ଦେହରେ ସୋମ୍ୟରଞ୍ଜନ ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ପିଟି ପିଟି ହତ୍ୟା କରିଥିଲେ। ଆଇନକୁ ହାତକୁ ନେଇ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ଏହି ମାମଲାରେ ପୋଲିସ ଏବେ ସୁଦ୍ଧା ମୋଟ୍ ୧୧ ଜଣଙ୍କୁ ଗିରଫ କରିସାରିଛି। ଶନିବାର ୬ ଜଣ ଏବଂ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ହୋଇଥିବା କିଛି ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ସେମାନଙ୍କ କହିବା କଥା, ଭିଡିଓରେ ଥିବା ପ୍ରକୃତ ଅଭିଯୁକ୍ତଙ୍କୁ ପୋଲିସ ଧରିବା ବଦଳରେ କେବଳ ସେଠାରେ ଛିଡ଼ା ହୋଇଥିବା ଲୋକଙ୍କୁ ଉଠାଇ ଆଣିଛି। ଏହି ବୟାନ ପରେ ପ୍ରକୃତ ଦୋଷୀ କିଏ, ତାହା କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ଆହ୍ୱାନ ହେବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ କୌଣସି ବି ପରିସ୍ଥିତିରେ ଆଇନକୁ ହାତକୁ ନେବାକୁ ବରଦାସ୍ତ କରାଯିବ ନାହିଁ। ପୀଡ଼ିତ ପରିବାରକୁ ନ୍ୟାୟ ଦେବା ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏଭଳି ଅମାନୁଷିକ ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ (DGP) ସତର୍କ ଓ ସଜାଗ ରହିବାକୁ ସେ କଡ଼ା ତାଗିଦ୍ କରିଛନ୍ତି।

Leave A Reply

Your email address will not be published.