Latest Odisha News

ପୁସ୍ତକ ପରିଚୟ : ଏମିଲିଆ ଫର୍ଣ୍ଣାଡେଜ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା

ଲେଖକ : କୁଳମଣି ଷଡ଼ଙ୍ଗୀଙ୍କ ମେଘାଳୟ ଅନୁଭୂତି “ଏମିଲିଆ ଫର୍ଣ୍ଣାଡେଜ”
ପ୍ରକାଶକ ‐ ଶାନ୍ତିସେନା ପବ୍ଲିକେଶନ
ମୂଲ୍ୟ ‐ ଟ୧୭୫/- ମାତ୍ର !

ଖୁବ୍ କମ୍ ସମୟ ମଧ୍ୟରେ ଓଡିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବିଂଶାଧିକ ଗ୍ରନ୍ଥ ଭେଟି ଦେଇଥିବା ଜଣେ ବରେଣ୍ୟ ସ୍ରଷ୍ଟା ହେଲେ ଶ୍ରୀଯୁକ୍ତ କୁଳମଣି ଷଡଙ୍ଗୀ । ବୃତ୍ତିରେ କେନ୍ଦ୍ର ସରକାରଙ୍କ ନାବାର୍ଡର ଜଣେ ବରିଷ୍ଠ ଅଧିକାରୀ ଭାବେ ଅବସର ପ୍ରାପ୍ତ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଗଳ୍ପ, କବିତାରେ ବିପୁଳ ଜୀବନାନୁଭୂତିର ଚିତ୍ର ପ୍ରତିଫଳିତ । “ଏମିଲିଆ ଫର୍ଣ୍ଣାଡେଜ” ତାଙ୍କ ମେଘାଳୟ ରହଣୀକାଳୀନ ଅନୁଭୂତି ଯାହା ଓଡିଆ ଭ୍ରମଣ ସାହିତ୍ୟରେ ସ୍ବତନ୍ତ୍ର ସ୍ଥାନର ଅପେକ୍ଷା ରଖେ ।

ପୁସ୍ତକ ଚର୍ଚ୍ଚା କରିବା ପୂର୍ବରୁ ସୂଚାଇ ଦେବାକୁ ଚାହେଁ ଏମିଲିଆ ଫର୍ଣ୍ଣାଡେଜ ମେଘାଳୟର କୌଣସି ଭ୍ରମଣ ସ୍ଥାନ ବା ଧାର୍ମିକ ସ୍ଥଳୀ ନୁହେଁ ବରଂ ସେ ଏ କାହାଣୀର ନାୟିକା । ତା’ରି ମାଧ୍ୟମରେ ଲେଖକ ପ୍ରାଚ୍ୟର ସ୍କଟଲାଣ୍ଡ (Scotland of The East) ନାମରେ ଖ୍ୟାତ ପୂର୍ବ ଭାରତୀୟ ରାଜ୍ୟ ମେଘାଳୟର ପ୍ରାକୃତିକ, ସାଂସ୍କୃତିକ ଓ ସାମାଜିକ ବିବିଧତାକୁ ଅତି ନିକଟରୁ ଜାଣିବାର ଅବକାଶ ପାଇଛନ୍ତି । ତା’ ସହିତ ଏମିଲିଆର ଜୀବନ ସଙ୍ଗ୍ରାମର ଏକ ସଫଳ ତଥା ସୁନ୍ଦର ଚିତ୍ର ପ୍ରଦତ୍ତ । ମେଘାଳୟରେ ମୁଖ୍ୟତଃ ତିନି ସଂପ୍ରଦାୟର ଜନଜାତି ବାସ କରନ୍ତି ଯଥା ଗାରୋ, ଖାସି ଓ ଜୟନ୍ତିଆ । ପ୍ରତ୍ୟେକ ସଂପ୍ରଦାୟର ଲୋକକଥା, ପର୍ବପର୍ବାଣି, ଲିପି, ଭାଷା, ଆଚାରବିଚାର, ସାମାଜିକ ବିଧିବ୍ୟବସ୍ଥା, ପୋଷାକ ପରିଚ୍ଛଦ ଅନେକ କ୍ଷେତ୍ରରେ ଭିନ୍ନ ପୁଣି ଅଭିନ୍ନ । ଲେଖକଙ୍କ ବର୍ଣ୍ଣନାରେ ମେଘର ଆଳୟ ମେଘାଳୟ । ଅଭିଶପ୍ତ ବିରହୀ ଯକ୍ଷ ମେଘ ରୂପ ଧାରଣ କରି ସତେ ଯେମିତି ପ୍ରାଣପ୍ରିୟା ପ୍ରେମିକାକୁ ଖୋଜି ଚାଲିଛି । ସେଥିପାଇଁ ସେ ଅବାଧରେ ସମସ୍ତଙ୍କ ଘରେ ପ୍ରବେଶ କରେ । ବିଚିତ୍ର,ବିହ୍ବଳ ଓ ସୁନ୍ଦର ପରିବେଶ ସୃଷ୍ଟି କରେ । ଅନବରତ ବିରହ ବେଦନାରେ ଅଶ୍ରୁପାତ କରେ । ସେଇ ଅଶ୍ରୁରୁ ସୃଷ୍ଟି ହୁଏ ନଦୀ, ଝରଣା, ଜଳପ୍ରପାତ, ଅର୍କିଡ ଜଙ୍ଗଲ ଆହୁରି କେତେ କ’ଣ । ସମୁଦ୍ର ପତନରୁ ହଜାର ହଜାର ମିଟର ଉଚ୍ଚରେ ତଥା ହିମାଳୟ ପର୍ବତମାଳାର ସନ୍ନିକଟ ମେଘାଳୟର ଜୈବ ବିବିଧତା ଆହୁରି ଆକର୍ଷଣୀୟ ।

ଲେଖକଙ୍କ ପାଇଁ ଭଡାଘର ଖୋଜିବା, ପିଲାଙ୍କ ପାଇଁ ପାଖାପାଖି ଭଲ ସ୍କୁଲଟିଏ ସନ୍ଧାନ କରିବା, ବିଭିନ୍ନ ସ୍ଥାନ ବିଷୟରେ ସର୍ବନିମ୍ନ ପରିଚିତି ହାସଲ କରିବା ଆଦି ସମସ୍ୟାକୁ ଯିଏ ସହଜ କରିଦେଇଛି ସେ ଆଉ କେହି ନୁହେଁ, ସେ ହେଲା ଏମିଲିଆ । ଏମିଲିଆ ଉଚ୍ଚାକାଂକ୍ଷୀ, ଉଚ୍ଚାଭିଳାଷୀ, ସୁନ୍ଦରୀ ଓ ସୁଶିକ୍ଷିତା ଖାସି ସମ୍ପ୍ରଦାୟର ଝିଅଟିଏ । ଆପଣ ତାକୁ ଏ ଭ୍ରମଣକାହାଣୀର ଲେଖକଙ୍କ ଗାଇଡ୍ ବା ପଥ ପ୍ରଦର୍ଶକ କହିପାରନ୍ତି କିମ୍ବା ଏ ଭ୍ରମଣୋପନ୍ୟାସର ନାମ ନାୟିକା ବି କହି ପାରନ୍ତି । ସେ ଭଲ ପାଏ ହରିଶକୁ ଯିଏ ମହାରାଷ୍ଟ୍ରରେ ରହେ । ସେମାନେ ଖୁବ୍ ସତର୍କତାର ସହ ପରସ୍ପରକୁ ସାକ୍ଷାତ କରନ୍ତି । ଏମିଲିଆ ପରିବାରର ଆପତ୍ତି ଯେ ସେ ଠିକ୍ ପିଲା ନୁହେଁ । ଏପଟେ ହରିଶର ପରିବାର ଯୁକ୍ତି କରନ୍ତି ଏମିଲିଆ ଗାଈ ଓ ଘୁଷୁରୀ ମାଂସ ଖାଏ । ତେଣୁ ସେ ତାଙ୍କ ଘରର ବୋହୁ ହେବା ପାଇଁ ଅନୁପଯୁକ୍ତ । ସମାଜର ଏଇ ପୁରାତନ ନିୟମ ଶୃଙ୍ଖଳରେ ବନ୍ଧା ଦୁଇ ପ୍ରେମପକ୍ଷୀଙ୍କୁ ଏକତ୍ର କରାଇବା ପାଇଁ ଲେଖକ ପ୍ରତିଶ୍ରୁତି ଦିଅନ୍ତି । ପୁଣି ତା’ରି ଭିତରେ ଲେଖକଙ୍କ ପରିବାର ପହଞ୍ଚେ ମେଘାଳୟରେ । ଏପଟେ ପରିବାରର ସୁରକ୍ଷା, କାର୍ଯ୍ୟକ୍ଷେତ୍ରର ଚାପ, ପ୍ରକୃତିର ନିମନ୍ତ୍ରଣ ସବୁକୁ ନେଇ ସମୟ କେମିତି କଟି ଯାଇଛି । ଭାରତର ସର୍ବାଧିକ ବର୍ଷଣମୁଖର ଏଇ ରାଜ୍ୟର ଲୋକମାନେ ଯେ ପ୍ରବଳ ଜଳକଷ୍ଟ ଭୋଗନ୍ତି, ଇଏ ବି କମ୍ ଆଶ୍ଚର୍ଯ୍ୟର କଥା ନୁହେଁ କି !

ପୁଣି ବାହାର ରାଜ୍ୟରୁ ସରକାରୀ କାମରେ ଯାଇଥିବା ପ୍ରବାସୀଙ୍କ ପାଇଁ ମେଘାଳୟର ବିଭିନ୍ନ ଛାତ୍ର ସଂଗଠନର ବିକ୍ଷୋଭ, ଆନ୍ଦୋଳନ ଆହୁରି ଚିନ୍ତାଜନକ । ପାଦେ ପାଦେ ବିପଦ । ଗୋଟେ ପଟେ ସ୍ଥାନୀୟ ସଂକଟ ଅପର ପକ୍ଷରେ ପ୍ରକୃତିର ଅଭୁଲା ଆମନ୍ତ୍ରଣ । ସତେ ଯେମିତି ଅନ୍ଧାର ଓ ବିଷାଦର କଳା ପରଦା ଅନ୍ତରାଳରେ ଲୁଚି ରହିଚି ଆଲୋକ ଓ ଆନନ୍ଦର ସ୍ବଚ୍ଛ ଧାରା । ଲେଖକ ଯେତେବେଳେ ବି ଟିକେ ଅବସର ପାଇଛନ୍ତି ସେତେବେଳେ ତାର ସୁବିନିଯୋଗ କରିଛନ୍ତି । ଦେଖିଛନ୍ତି ୱାର୍ଡସ ଲେକ୍, ହାଇଦରୀ ପାର୍କ, ପୋଲୋ ଗ୍ରାଉଣ୍ଡ, ପୋଲିସ ବଜାର, ହାପି ଭ୍ୟାଲି, ସାକ୍ରେଡ ଫରେଷ୍ଟ, ଲୁହର ହ୍ରଦ ଉମିଆମ୍, ଚେରାପୁଞ୍ଜିର ସାତ ଭଉଣୀ ଜଳପ୍ରପାତ, ନୋହ କା’ ଲିକାଇ ପ୍ରପାତ, ମାଉସୀମା ଗୁମ୍ଫା, ଶିଲଂ ପିକ୍, ଆସାମର କାମାକ୍ଷା ମନ୍ଦିର ଭଳି ବହୁ ଦର୍ଶନୀୟ ସ୍ଥାନ । ଜାଣିଛନ୍ତି ତା’ ପଛରେ ଥିବା ପୌରାଣିକ ଲୋକକଥା ବା ଜନଶ୍ରୁତିକୁ । ଅତି ପାଖରୁ ଜନଜାତିର ଚାଲିଚଳଣୀ, ଭାଷା, ଲିପି, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନଚର୍ଯ୍ୟାକୁ ଦେଖି ଆମୋଦିତ ହୋଇଛନ୍ତି । ପୁଣି ଲାବାନ୍ ରାସ୍ତାର କଟା ଗୋରୁ ମୁଣ୍ଡରୁ ଟପ୍ ଟପ୍ ଝରୁଥିବା ରକ୍ତ, କାମାକ୍ଷା ଦେବୀଙ୍କ ସମ୍ମୁଖରେ ନୈବେଦ୍ୟ ଭାବେ ପରସା ଯାଇଥିବା ରକ୍ତ ଜୁଡୁବୁଡୁ ମଇଁଷି ମୁଣ୍ଡ ପାଠକଙ୍କ ହୃଦ ତନ୍ତ୍ରୀ ଥରେଇ ଦେବ । ମିଷ୍ଟର ଷରଙ୍ଗୀ(ଏଇ ନାମରେ ହିଁ ଏମିଲିଆ ଲେଖକଙ୍କୁ ସମ୍ବୋଧନ କରେ) ଖୁବ୍ ଚେଷ୍ଟା କରି ଏମିଲିଆ ଓ ହରିଶକୁ ଏକତ୍ର କରିପାରିଛନ୍ତି । ହରିଶ ପରିବାରର ସମର୍ଥନ କ୍ରମେ ସେମାନଙ୍କ ବାହାଘର ଆର୍ଯ୍ୟସମାଜରେ ଅନୁଷ୍ଠିତ ହୋଇଛି । ମେଘାଳୟ ଭଳି ଅଜଣା ଇଲାକାରେ ଏମିଲିଆର ସାହାଯ୍ୟ ବଦଳରେ ଦୁଇ ଜଣଙ୍କୁ ଏକତ୍ର କରାଇ ଲେଖକ ଋଣ ପରିଶୋଧ କରିଛନ୍ତି ।

ଆଉ ଶିଲଂ ? ଶିଲଂରେ ଲେଖକଙ୍କ କାର୍ଯ୍ୟକାଳର ଅଢେଇ ବର୍ଷ ପୁରଣ ପରେ ହାଇଦ୍ରାବାଦକୁ ବଦଳି । ଜୀବନର ଆଉ ଏକ ପର୍ଯ୍ୟାୟର ଆରମ୍ଭ । ପର୍ବତର ଆରୋହଣ ବେଳେ ଯେଉଁ ଉତ୍କଣ୍ଠା ଥାଏ ଅବତରଣ ବେଳକୁ ସେ ଉତ୍ସାହ କେଜାଣି କେମିତି କମିଯାଏ ! ଶିଲଂ ଆଜି ସ୍ମୃତି । ଦୁଇ ପ୍ରେମ ପକ୍ଷୀ ଏମିଲିଆ ଓ ହରିଶ୍ ଏବେ ସୁଦୂର ଅଷ୍ଟ୍ରେଲିଆରେ । ସେଇଠି ସ୍ଥାୟୀ ନିବାସ । ଲେଖକ ମଧ୍ୟ କର୍ମମୟ ଜୀବନରୁ ଅବସର ନେଇ ସାରିଛନ୍ତି । ଏ ଭିତରେ ଦୀର୍ଘ ୩୦ବର୍ଷ ବିତିଯାଇଛି । କାହା ସହିତ କାହାର ସମ୍ପର୍କ ନାହିଁ । ତଥାପି ଶିଲଂର ସେ ସ୍ମୃତି ଜୀବନ୍ତ । ଏଇ ହେଲା ଜୀବନର ବିଚିତ୍ରତା ।

“ଏମିଲିଆ ଫର୍ଣ୍ଣାଡେଜ”କୁ ଲେଖକ କୁଳମଣି ଷଡଙ୍ଗୀଙ୍କ ଭ୍ରମଣକାହାଣୀ ନକହି ଏକ ଭ୍ରମଣୋପନ୍ୟାସ ଭାବେ ଅଭିହିତ କଲେ ବୋଧେ ଯୁକ୍ତିଯୁକ୍ତ ହେବ । ଅନୁଭୂତିର ସାବଲୀଳ ବର୍ଣ୍ଣନା, ସାଂସ୍କୃତିକ ଓ ସାମାଜିକ ଅନୁଶୀଳନ, କିମ୍ବଦନ୍ତୀ, ଲୋକକଥାର ମନୋରମ ଚିତ୍ରଣ ସର୍ବୋପରି ଉପନ୍ୟାସ ସୁଲଭ ଉପସ୍ଥାପନା “ଏମିଲିଆ ଫର୍ଣ୍ଣାଡେଜ”କୁ ସର୍ବକାଳୀନ ପାଠକୀୟ ସ୍ବୀକୄତି ଦେବ ଏହା ନିଃସନ୍ଦେହ ।

ନୀଳଚକ୍ର ନଗର
ଅଠରନଳା
ପୁରୀ

Comments are closed.