ଭୁବନେଶ୍ବର: ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର ମାସ ୩୦ ତାରିଖ ସୁ ଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି । ୨୦୨୪ରେ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିବା ସୂଚନା ରହିଛି ।
ରାଜ୍ୟର ବିଭିନ୍ନ ଥାନାରେ ୩୫୦ଟି ମାମଲା ରୁଜୁ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୧୨ଟି ମାମଲା ରୁଜୁ ହୋଇଥିବା ବେଳେ ୫ ହଜାର ୪୦୦ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି ଗଜପତି ଜିଲ୍ଲାରେ ୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୧ ହଜାର ୨୨ ଏକରରୁ ଅଧିକ ଗଞ୍ଜେଇ ନଷ୍ଟ କରାଯାଇଛି । ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ପୋଲିସ ପାଇଁ ବଡ଼ ସଫଳତା ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି ।
ରାଜ୍ୟର ୮ଟି ଜିଲ୍ଲାରେ ଗଞ୍ଜେଇ ଚାଷ ବିରୁଦ୍ଧରେ ସ୍ପେଶାଲ ଡ୍ରାଇଭ ଚାଲିଛି । ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋଉତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି । ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଚେତାବନୀ ଦେଇଛନ୍ତି ।