ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୩
ଇଜିପ୍ଟ ହେଉଛି ନୀଳନଦୀର ଦେଶ : ଆଉ ସେଇ ନୀଳନଦୀ ଦେଶର ଜଣେ ଚର୍ଚ୍ଚିତ କ୍ଷମତାଧାରିଣୀ ରାଣୀ ହେଉଛନ୍ତି ହାତଶେପସୁତ ।
ଏହା ହେଉଛି ଏମିତି ଗୋଟିଏ ସମୟ , ସଭ୍ୟତାର ଆଦ୍ୟକାଳ । ଆଉ ଠିକ୍ ସେତିକିବେଳର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମଣିଷର ସଭ୍ୟତା ଏଇମାତ୍ର ବିକଶିତ ହେବାକୁ ଯାଉଛି କି ନାହିଁ,ଦେଖିଲାବେଳକୁ ସେଇଠି ନାରୀ ତାହାର ସ୍ଥାନକୁ ହରାଇବାକୁ ବସିଲାଣି । ସେତିକିବେଳେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ପଞ୍ଚଦଶ ଶତାବ୍ଦୀରେ ଯେତେବେଳେ ଇଜିପ୍ଟ ର ଲୋକେ ବିରାଡି ଆଉ ତ୍ରିଭୂଜାକୃତିର ପିରାମିଡକୁ ନେଇ ବ୍ୟସ୍ତ ସେଠିକାର ଜଣେ ରାଣୀ ନିହାତି ଅସ୍ୱାଭାବିକ ଭାବରେ ଜନତାକୁ ସମ୍ବୋଧନ କରି କହୁଛି,ତମେ କ’ଣ ଭାବୁଛ ମୁଁ ଜଣେ ନାରୀ ବୋଲି ଇଜିପ୍ଟର ରାଜା ଆକାରରେ ଶାସନ କରି ପାରିବି ନାହିଁ ?
ଜନତାକୁ ଏମିତି ସମ୍ବୋଧନ କଲାବେଳକୁ ହାତଶେପସୁତ୍ ଇଜିପ୍ଟର ବସ୍ତୁତଃ ରାଣୀ ଏବଂ ଶାସକ ଥିଲେ । ଏହା ଖ୍ରୀପୂ ୧୪୭୩ର କଥା। କୌଣସି ଏକ ଅଜଣା ଅସୁଖରେ ଇଜିପ୍ଟର ତତ୍କାଳୀନ “ଫାରୋ” ଅର୍ଥାତ୍ ଶାସନକର୍ତ୍ତା ତୁତମୋସିସ୍ ଦ୍ୱିତୀୟଙ୍କର ପରଲୋକ ଘଟେ। ହାତଶେପସୁତ ଫାରୋ ତୁତମୋସିସ ଦ୍ୱିତୀୟଙ୍କ ପ୍ରଥମ ପତ୍ନୀ ତଥା ତାଙ୍କର ସାବତ-ଭଉଣୀ । ତେଣୁ ଫାରୋଙ୍କର ପରଲୋକ ହେବା ପରେ ଇଜିପ୍ଟର ଶାସନଭାର କାହା ହାତରେ ରହିବ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ । ହାତଶେପସୁତଙ୍କ ଶିଶୁପୁତ୍ର ନା ସ୍ୱୟଂ ହାଥଶେପସୁତ୍ ? କିଏ ହେବ ପରବର୍ତ୍ତୀ ଇଜିପ୍ଟର ଶାସକ ?
ସେତେବେଳେ ଇଜିପ୍ଟର ଅଧିକାଂଶ ଜନସାଧାରଣ ଶାସନଗାଦୀରେ ଚାହୁଁଥିଲେ ଜଣେ ପୁରୁଷ “ଫାରୋ”, ପରଲୋକଗତ ଫାରୋଙ୍କ ଶିଶୁପୁତ୍ରକୁ,ବୟସ ଦୁଇ ତିନିବର୍ଷ ହୋଇଥାଉ ପଛକେ ତୁତମୋସିସ୍ ତୃତୀୟ ,ସେମାନଙ୍କର ପ୍ରୟୋଜନ । ସେହି ଜଟିଳ ଅଥଚ ସ୍ୱାଭାବିକ ପୁରୁଷବାଦୀ ଆଭିମୁଖ୍ୟର ପ୍ରତିବାଦ କରିଥିଲେ ରାଣୀ ହାତଶେପସୁତ ଏବଂ ନିଜର ରାଜନୈତିକ ଚତୁରତା କାରଣରୁ ସେଠିକାର ସମସ୍ତ କ୍ଷମତା ସ୍ୱୟଂ ନିଜେ ଦଖଲ କରି ନିଜକୁ ନୀଳନଦୀ ଦେଶର ସର୍ବେସର୍ବା ବୋଲି ଘୋଷଣା କରିଥିଲେ । ଏଥିପାଇଁ ସେ ପ୍ରାଥମିକ ଭାବରେ ଈଜିପ୍ଟ ର ସୈନ୍ୟବାହିନୀକୁ ନିଜର ଅନୁଗତ କରିପାରିବାରେ ସମର୍ଥ ହୋଇଥିଲେ। ସୈନ୍ୟବାହିନୀ ଅନୁଗତ ହୋଇ ଗଲା ପରେ ତାଙ୍କ ପାଇଁ ସେଠାରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଅସ୍ଥିରତା କ୍ରମଶଃ ଦୂର ହୋଇଯାଇଥିଲା। ଏବଂ ଏହାପରେ ସେ ନିଜକୁ ଇଜିପ୍ଟ ର ଫାରୋ ବୋଲି ଘୋଷଣା କରିବାରେ ଆଦୌ କୌଣସି ଅସୁବିଧା ହୋଇ ନଥିଲା ।
ନିଜ ଦକ୍ଷତା ବଳରେ ହାଶସେପସୁତ ଖ୍ରୀପୂ ୧୪୭୩ ରୁ ଖ୍ରୀପୂ ୧୪୫୮ ଅର୍ଥାତ୍ ନିଜର ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ପନ୍ଦର ବର୍ଷ ଇଜିପ୍ଟର ଶାସନକୁ ଅତ୍ୟନ୍ତ ଦକ୍ଷତାର ସହ ପରିଚାଳନା କରିପାରିଥିଲେ । ଏକଥା ଅବଶ୍ୟ ଉଲ୍ଲେଖଯୋଗ୍ୟ ଯେ ଈଜିପ୍ଟ ର ଶାସନ କୁ ପରିଚାଳନା କରିବାରେ ସେ ପ୍ରଥମ ମହିଳା ନୁହଁନ୍ତି । ତାଙ୍କ ପୂର୍ବରୁ କିଛି ମହିଳା ଇଜିପ୍ଟର ଶାସନରେ ନିଜର ହସ୍ତାକ୍ଷର ରଖିଯାଇଛନ୍ତି । ମାତ୍ର ଜଣେ ଶାସକ ହିସାବରେ ହାତଶେପସୁତ୍ ଯେଉଁ ପନ୍ଦର ବର୍ଷ ଭଳି ଦୀର୍ଘ କାଳର ସମୟ ରହିପାରିବାକୁ ସମର୍ଥ ହୋଇଥିଲେ, ସେହି ରେକର୍ଡ ଭାଙ୍ଗିବା ପାଇଁ ଆହୁରି ଚଉଦଶହ ବୟସ ଭଳି ସମୟ ଲାଗିଯାଇଛି । ହାତଶେପସୁତଙ୍କ ପନ୍ଦରବର୍ଷ ଶାସନର ରେକର୍ଡକୁ ପରେ ଭାଙ୍ଗିଛନ୍ତି ଇତିହାସର ଅନ୍ୟତମ ଶ୍ରେଷ୍ଟ ରୂପସୀ ରାଣୀ କ୍ଲିଓପାର୍ଟ୍ରା।କ୍ଲିଓପାର୍ଟ୍ରାଙ୍କ ଶାସନର ଅବଧି ଥିଲା ଏକୋଇଶ ବର୍ଷ ଏବଂ ଏହାର ଆରମ୍ଭ କାଳ ଥିଲା ଖ୍ରୀପୂ ୫୧ ।
ଜଣେ ଶାସକ ଆକାରରେ ସେ ସମୟର ଗୋଟିଏ ସଫଳ ଓ ପ୍ରତିପତ୍ତିଶାଳୀ ଇଜିପ୍ଟ ଶାସନ ତଥା ସାମ୍ରାଜ୍ୟ କହିଲେ ଯାହା ବୁଝାଯାଉଥିଲା ସେହି ସମସ୍ତ ମାପଦଣ୍ଡରେ ହାତଶେପସୁତ ଉତ୍ତୀର୍ଣ୍ଣ ହୋଇପାରିଥିଲେ। ଗୋଟିଏ ଇଜିପ୍ଟ ସାମ୍ରାଜ୍ୟର ଦକ୍ଷତାକୁ ତାହାର ସୈନ୍ୟବାହିନୀ,ତାହାର ସେ ସମୟର ବହିର୍ବାଣିଜ୍ୟ ଏବଂ ମନ୍ଦିରଆଦି ନିର୍ମାଣ ରୁ ହିଁ ବିବେଚନା କରାଯାଉଥିଲା । ହାତଶେପସୁତ୍ ଙ୍କ ସମୟ ରେ ଏହି ତିନୋଟି ଯାକ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଦେଖାଦେଇଥିଲା ।
ହାଶେପସୁତ୍ ଜଣେ ଶାସକ ଆକାରରେ ବିଶେଷ ସଫଳତା ଅର୍ଜନ କରିବା ପଛରେ ତାଙ୍କର ରାଜନୈତିକ ବୁଦ୍ଧିମତାର ଭୂମିକା ଯଥେଷ୍ଟ ଥିଲା । ତାହା ସହିତ ଜଣେ ନାରୀର ଯାହା ଅନ୍ୟତମ ପ୍ରମୁଖ ଅସ୍ତ୍ର ତାହାର ସୌନ୍ଦର୍ଯ୍ୟ ଏବଂ ତାହାର ଶରୀର ସେସବୁକୁ ବି ସେ ସଠିକ ଉପଯୋଗ କରିପାରିଥିଲେ ଯାହା ଫଳରେ କି ତାଙ୍କର ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ଗୋଟିଏ ଏକାନ୍ତ ଅନୁଗତ ଗୋଷ୍ଠୀ ତାଙ୍କର ନିର୍ଦ୍ଦେଶନାମାକୁ ସର୍ବଦା ଅପେକ୍ଷା କରି ରହୁଥିଲେ । ସେମାନଙ୍କର ପ୍ରମୁଖ ଥିଲେ ସେନେନମୁତ୍ ବୋଲି ଜଣେ ସୁଦର୍ଶନ ବଳଶାଳୀ ସେନାଧ୍ୟକ୍ଷ । ଏହି ସେନେନମୁତ ଥିଲେ କହିବାକୁ ଗଲେ ସେ ସମୟର ସେକେଣ୍ଡ ଇନ୍ କମାଣ୍ଡ ।
ହାତଶେପସୁତ୍ ନିଜର ଦୀର୍ଘ ପନ୍ଦର ବର୍ଷର ଶାସନ ସମୟରେ ଥରଟିଏ ହେଲେ ବି ତାଙ୍କର ପୁତ୍ରକୁ (ଯାହାକୁ ଲୋକେ ତୁତମୋସିସ୍ ତୃତୀୟ ଆକାରରେ ତାହାର ପିତାର ମୃତ୍ୟୁ ପରେ ଫାରୋ ଆକାରରେ ଚାହୁଁଥିଲେ) ନିଜ ରାଜଧାନୀକୁ ଆସିବାକୁ ଦେଇ ନାହାଁନ୍ତି । ଏଇ କଥାକୁ ତାଙ୍କର ସଫଳତା ବୋଲି ବିଚାର କଲାବେଳେ ଆଉ ଗୋଟିଏ କାରଣ କୁ ବି ତାଙ୍କର ସଫଳତାର ଆଧାର ହିସାବରେ ଦେଖାଯାଇପାରେ ।
ଅତ୍ୟନ୍ତ ରୂପସୀ ହାତଶେପସୁତ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥିତ ରହିବା ସମୟରେ ନିଜ ମୁହଁରେ ନକଲି ଦାଢୀ ପରିଧାନ କରିବାକୁ ଆଦୌ ଭୁଲିଯାଉନଥିଲେ।
ଏହି ପ୍ରତୀକାତ୍ମକ ପୁରୁଷପଣ ଆମର ବିଚାର୍ଯ୍ୟ ନିଶ୍ଚୟ ।
ଆଉ ଗୋଟିଏ କଥା ଏଇଠି ଉଲ୍ଲେଖଯୋଗ୍ୟ । ଶିଳ୍ପୀମାନଙ୍କୁ ନିର୍ଦ୍ଦେଶ ଦେଇ ସେ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ଓବେଲିସ୍କ ବା ସ୍ମୃତିସ୍ତମ୍ଭ ନିର୍ମାଣ କରାଇଥିଲେ । ଓବେଲିସ୍କ ହେଉଛି ସେ ସମୟରେ ଆକାଶ ଆଉ ପୃଥିବୀର ସଂଯୋଗ ସ୍ଥଳକୁ ପ୍ରତୀକୀକରଣ କରୁଥିବା ସ୍ତମ୍ଭ । ଏହାର ଅବସ୍ଥାନର ଉଦ୍ଦେଶ୍ୟ ହେଉଛି ଏଇଠି ଉପସ୍ଥିତ ହୋଇ ହାତଶେପସୁତ୍ ଯେମିତି ଈଶ୍ୱରଙ୍କ ସାମ୍ନାରେ ପ୍ରାର୍ଥନାରତ ।
କହିବା କଥା ହେଉଛି ନକଲି ଦାଢୀ ଲଗାଇ ସେ ଯେମିତି ନିଜର ପୁରୁଷପଣକୁ ପ୍ରତୀକାତ୍ମକ କରୁଥିଲେ ଠିକ୍ ସମାନ ଭାବରେ ସେ ଓବେଲିସ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସମର୍ପଣ କରି ନିଜର ନାରୀଭାବକୁ ବି ପ୍ରକାଶ୍ୟରେ ରଖିଅଛନ୍ତି ।
ହାତଶେପସୁତ୍ ଙ୍କର ଏହା ବ୍ୟତୀତ ସବୁଠାରୁ ଉଲ୍ଲେଖ ଯୋଗ୍ୟ ନିର୍ମାଣ ହେଉଛି ଦାୟାର-ଅଲ୍-ବାହାରି ମନ୍ଦିର । ସ୍ୱାଭାବିକ ଭାବରେ ଏହା କୌଣସି ଏକ ସମାଧିମନ୍ଦିର ଆକାରରେ ନିର୍ମାଣ କରାଯାଇନାହିଁ । ଏହା ହେଉଛି ଦେବତା ନିକଟରେ ମଣିଷର ଆତ୍ମସମର୍ପଣ କରିବାର ସ୍ଥାନ । ଏହି ମନ୍ଦିରରେ ରହିଛି ଗୋଟିଏ ନାରୀର ମୂର୍ତ୍ତି । କୁହାଯାଏ ଏହି ମୁର୍ତ୍ତିଟି ହାତଶେପସୁତଙ୍କର । ସବୁଠୁ ଉଲ୍ଲେଖ୍ୟଯୋଗ୍ୟ କଥା ହେଉଛି ଏହି ନାରୀମୂର୍ତ୍ତୀର ମୁହଁ ଇଜିପସିଆନଙ୍କ ମୃତ୍ୟୁର ଦେବୀ ଓସାଇରିସଙ୍କ ମୁହଁର ଛାଞ୍ଚରେ ଗଢା। ନିଜର ପରାକ୍ରମକୁ ଅପ୍ରତିରୋଧ୍ୟ ମୃତ୍ୟୁର ଦେବୀ ଓସାଇରିସଙ୍କ ସମରୂପ କରିବା ପଛରେ ହାତଶେପସୁତଙ୍କ ନିଜର କ୍ଷମତା ଉପରେ ଥିବା ପ୍ରଚଣ୍ଡ ଆତ୍ମବିଶ୍ୱାସକୁ ବୁଝାଏ। କିନ୍ତୁ ହାତଶେପସୁତଙ୍କ ସମ୍ପର୍କରେ ଶେଷ କଥାଟି ଏହି ଭଳି : ତମେ ଯେତେ ଶକ୍ତିଶାଳୀ ହୁଅ ,ଯେତେ ଦୀର୍ଘ କାଳ ଶାସନ କର ,ମୁହଁରେ ନକଲି ଦାଢୀ ଲଗାଇ ଏକ ପୁରୁଷସୁଲଭ ବାର୍ତ୍ତା ସମାଜକୁ ଦିଅ, ନାରୀ ରୂପରେ ଈଶ୍ୱରଙ୍କ ନିକଟରେ ସମର୍ପଣ ମୁଦ୍ରାରେ ରହିଥାଅ, ଅଥବା ଯେତେ ଯେତେ ନିଜକୁ ପ୍ରଳୟଙ୍କରୀ ମୃତ୍ୟୁ ଦେବୀ ବୋଲି କୁହ ପଛକେ, ପୁରୁଷତନ୍ତ୍ର ତମକୁ ନିଶ୍ଚୟ କବଳିତ କରିନେବ ।
ହାତଶେପସୁତଙ୍କ ବିୟୋଗ ପରେ ୧୪୫୮ ଖ୍ରୀପୂରେ ତାଙ୍କର ପୁତ୍ର ଯିଏ ତାଙ୍କର ଦୀର୍ଘ ପନ୍ଦର ବର୍ଷର ଶାସନ କାଳରେ ତାଙ୍କର ରାଜଧାନୀକୁ ପ୍ରବେଶ କରିବାର ସୁଯୋଗ ପାଇନଥିଲା ,ସେ ପରବର୍ତ୍ତୀ ଫାରୋ ଅର୍ଥାତ୍ ଫାରୋ ତୁତମୋସିସ୍ ତୃତୀୟ ହେଲା ଏବଂ ତୁତମୋସିସ୍ ପ୍ରଥମ, ତୁତମୋସିସ ଦ୍ୱିତୀୟ ଏବଂ ତୃତମୋସିସ୍ ତୃତୀୟ ଭଳି ଗୌରବାବହ ଫାରୋ ଶାସନର ଧାରାବାହିକତାକୁ ଇତିହାସ ବକ୍ଷରେ ଅକ୍ଷୁର୍ଣ୍ଣ ରଖିବା ପାଇଁ ମଧ୍ୟବର୍ତ୍ତୀ ଏହି ହାତଶେପସୁତ-ନାରୀକାଳକୁ ଲିପିପୋଛି ପରିଷ୍କାର କରିଦେଇଥିଲା ।
ତଥାପି ହାତଶେପସୁତ୍ ଏଇ ଶେଷ ପ୍ରତିବନ୍ଧକକୁ କିଛି ପରିମାଣରେ ଅତିକ୍ରମ କରି ରହିଛନ୍ତି ।
Comments are closed.