ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଦେଖିଲେ ଏବର ଉତ୍କଳ
ଆଖିରେ ଲୁହ ଛଳଛଳ
ହୃଦୟେ ନିରବ କାଂଦଣା
ବୁଦ୍ଧି, ଜ୍ଞାନ, ବିବେକ ବଣା
ଗତୋତ୍କଳ, ଚଳିତୋତ୍କଳ
ନୁହଂତି ଯେଣୁ ଅବିକଳ
ଚଳିତ କାଳ ପ୍ରତି ଧ୍ୟାନ
ଦେଲେ ହିଁ ସଂଭବ ଉତ୍ଥାନ
ଧର୍ମୋତ୍କଳ ଓ କର୍ମୋତ୍କଳ
ମିଳୁନି କେଉଁଠାରୁ ଫଳ
ସବୁଠି ତୁଚ୍ଛ କୋଳାହଳ
କରଂତି ଲୋକ ଦଳ ଦଳ
ଶାସକ ଓ ବିରୋଧୀ ମିଶି
କଥା କଟାକଟିରୁ ଖୁସି
ପାଆଂତି ଓ ଥାଆଂତି ଚଳି
କରଂତି ନିତି ଛଦ୍ମ କଳି
ନିଷ୍ଠାର ଏକାଂତ ଅଭାବ
ସତ୍ତ୍ବେ ଏ ନେତାଂକ ସ୍ବଭାବ
ଯାଏନି ଟିକେ ବି ବଦଳି
କେବେ ପଡ଼େ କାହାର ପାଳି
ପଖାଳ ସହ ଲଂକା, ଲୁଣ
କରଂତି ଆଗ୍ରହେ ଭୋଜନ
ଏଥିରୁ ମିଳେ ପୁଷ୍ଟିସାର
ଲୋକେ ଖାଆଂତି ବାରଂବାର
ଗ୍ରାମୋତ୍କଳ, ନଗରୋତ୍କଳ
ମଝିରେ ବିଭେଦ ସକଳ
ଏବେ ବି ରହିଅଛି ଲାଗି
ଲୋକେ ହେଲେଣି ଭାଷାତ୍ୟାଗୀ
ନିଜର ଖାଦ୍ୟ, ବସ୍ତ୍ର, ଭାଷା
ହୁଏ ଯେହେତୁ ଲୋକହସା
ବଢ଼େନି କାହାର ଭରସା
ପୂରଣ ହୁଏନାହିଁ ଆଶା
ଶିଳ୍ପୋତ୍କଳ, ସାହିତ୍ୟୋତ୍କଳ
ସବୁଠି ବ୍ୟବସାୟୀ ଦଳ
ମୁନାଫା ଖୋଜଂତି କେବଳ
ଦିଶେନି କୌଣସି ସୁଫଳ
ବିଶ୍ବକର୍ମାଂକୁ ଆଶ୍ରା କରି
ଅନେକ ବିକାଶ ବେପାରୀ
ଗଢ଼ଂତି କୋଠା ମାଳ ମାଳ
ଏପରି ଏବର ଉତ୍କଳ
ପୂର୍ବ ଗୌରବ ଗାଥା ଗାଇ
ସଂସାରେ ଚଳି ହୁଏନାହିଁ
କରିବା ପାଇଁ ପ୍ରାଣ ରକ୍ଷା
ଅସମର୍ଥ ସ୍ବଭାଷା ଶିକ୍ଷା
Comments are closed.