ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷାର ବିଧି ପ୍ରଣୟନ
କେବେ ବି ନୁହେ ସମୀଚୀନ
ଯାହା ବି ଥାଏ ପ୍ରଚଳିତ
ତାହା ହିଁ ହୁଏ ଆବିଷୃତ
ବଚନ କଲେ ବିଶ୍ଳେଷଣ
ଯାହା ବି ଶୁଭେ ପୁନଃ ପୁନଃ
ତାହା ହିଁ ତହିଁର ବିଧାନ
ସ୍ବଭାଷୀ କରଂତି ପାଳନ
କ’ଣ ଉଚିତ, ଅନୁଚିତ
ଅଯୌକ୍ତିକ କି ଯୁକ୍ତିଯୁକ୍ତ
କେହି ବି ତାହାର ନିଷ୍ପତ୍ତି
କେବେ ବି କରି ନ ପାରଂତି
ଭାଷାର ସ୍ବାଧୀନ ପ୍ରବାହ
ଚଳାଇ ଭାଷୀ ସମୁଦାୟ
ବଢ଼ାଂତି ତା’ର ଅଂତର୍ଶକ୍ତି
ସହିତ ଶୁଦ୍ଧ ପ୍ରତିପତ୍ତି
ଅତି ଅଧିକ ନିୟଂତ୍ରଣ
ଯୋଗୁଁ ହିଁ ଭାଷା ହୁଏ ମ୍ଳାନ
ଭାଷୀଏ ହେଲେ ଉଦାସୀନ
ଘଟେ ତାହାର ଅବସାନ
Comments are closed.