Latest Odisha News

BREAKING NEWS

ନାବାଳିକା ଅପହରଣର ୧ ମାସ ପରେ ବି ପୋଲିସ ହାତ ଖାଲି; ନିରପେକ୍ଷ ତଦନ୍ତ ଦାବି କଲେ ବାପା ମା’

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଅଂଚଳରେ ଜଣେ ନାବାଳିକାଙ୍କୁ ପ୍ରାୟ ଏକ ମାସ ତଳେ ଅପହରଣ ହୋଇଥିବା ଅଭିଯୋଗ ଆସିଥିଲା। ତେବେ ଏହି ଘଟଣାର ତଦନ୍ତରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ ହୋଇଛି।

ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ନାବାଳିକାର କୌଣସି ପତା ମିଳିନାହିଁ । ଫଳରେ କୌଣସି କାରଣରୁ ପୋଲିସ ଏହି ଘଟଣାର ତଦନ୍ତ କରୁନଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି । ସୂଚନା ମୁତାବକ ସୁକିନ୍ଦା ଥାନା ମାଟିଗଡିଆ ଗାଁର ବିରଂଚି ମହାନ୍ତିଙ୍କ ୧୬ ବର୍ଷୀୟା ନାବାଳିକା ଝିଅ ପ୍ରତିମା ମହାନ୍ତ ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ନିଜ ମା ଙ୍କ ସହ ବଜାର ଯାଇଥିଲେ ।

ସେଠାରେ ମା ଙ୍କୁ ଛାଡି ପ୍ରତିମା ଘରକୁ ଫେରୁଥିବା ସମୟରେ ଅଧା ରାସ୍ତାରୁ ତାଙ୍କୁ ଅପହରଣ କରାଯାଇଥିଲା । ସୁକିନ୍ଦା ଅଂଚଳର ଭଗବାନ ମହାରଣା ନାମକ ଜଣେ ଯୁବକ ପ୍ରତିମାଙ୍କୁ ଅପହରଣ କରିଥିବା ତାଙ୍କ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଏତଲା ଦିଆଯାଇଥିଲା ।

ହେଲେ ଏହି ଘଟଣାକୁ ୧ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ଝିଅର କୌଣସି ଖୋଜ ଖବର ମିଳିନାହିଁ । ଫଳରେ ଆତ୍ମହରା ହୋଇପଡିଛନ୍ତି ବାପା ମା । କାନ୍ଦିକାନ୍ଦି ଆଖିରୁ ଲୁହ ସୁଖୁନି । ସେପଟେ ପୋଲିସ ଏଯାଏ କୌଣସି ପଦକ୍ଷେପ ନେଇ ନଥିବାରୁ ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନ କରିଛନ୍ତି ବାପା ମା ।

ଏତଲା ଦିଆଯିବାର ଏକ ମାସ ବିତି ଯାଇଥିଲେ ସୁଦ୍ଧା ପୋଲିସ ତାଙ୍କ ଝିଅକୁ ଖୋଜିବାରେ ବିଫଳ ହୋଇଛି । ସୁକିନ୍ଦା ପୋଲିସର ନିସ୍କ୍ରିୟତା ନେଇ ପରିବାର ଲୋକେ ଯାଜପୁର ଏସ.ପି ଓ କଳିଙ୍ଗନଗର ଅତିରିକ୍ତ ଏସ.ପି ଙ୍କ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ।

ହେଲେ ଫଳ ଶୂନ । ତେଣୁ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନ୍ୟାୟ ପାଇଁ ପୋଲିସ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି । ପୋଲିସ ତୁରନ୍ତ ଝିଅ କୁ ଖୋଜି ଆଣିବାକୁ ବାପା ମା ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.