Latest Odisha News

ବୟାନବାଜିରେ ସୀମିତ ବିରୋଧୀଙ୍କ ଏସଆଇଆର ପ୍ରସଙ୍ଗ? ନିର୍ବାଚନ କମିଶନଙ୍କ ନିକଟରେ କଲେନି ଅଭିଯୋଗ!

ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ SIR (ସ୍ୱତନ୍ତ୍ର ସଂଶୋଧନ ଅଭିଯାନ) ପ୍ରସଙ୍ଗ ବେଶ ବିବାଦ ସୃଷ୍ଟି କରିଛି। ବିରୋଧୀ ଦଳମାନେ ଏହାକୁ ନେଇ ନାନା ଅଭିଯୋଗ କରିଛନ୍ତି। କଂଗ୍ରେସ ଏହାକୁ “ଭୋଟ ଚୋରି” ବୋଲି ଅଭିହିତ କରିଛି। ଏସବୁ ବିବାଦ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ଖୁଲାସା କରିଛନ୍ତି। ଆୟୋଗଙ୍କ ମୁତାବକ, ବିରୋଧୀ ଦଳମାନେ ଏ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଆପତ୍ତି ଦାଖଲ କରି ନାହାନ୍ତି।

ନିର୍ବାଚନ ଆୟୋଗ ବାରମ୍ବାର କହିଛନ୍ତି, ବିହାରର ଚୂଡାନ୍ତ ଭୋଟର ତାଲିକାରେ କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ଭୋଟରଙ୍କ ନାଁ ଯୋଡ଼ା ଯିବ ନାହିଁ। ଗତ ୧ ଅଗଷ୍ଟରେ ପ୍ରକାଶିତ ବିହାରର ଭୋଟର ତାଲିକାରେ କିଛି ତ୍ରୁଟି ଥିଲେ ତାହା ସୁଧାରିବା ପାଇଁ ଦାବି ଓ ଆପତ୍ତି ଦାଖଲ କରିବାକୁ କହିଛନ୍ତି ନିର୍ବାଚନ କମିଶନ। କିନ୍ତୁ ୯ ଦିନ ବିତିଯାଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ କୌଣସି ଦାବି କିମ୍ବା ଆପତ୍ତି ଦାଖଲ କରି ନାହାନ୍ତି।

ଏହି SIR ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ଦଳମାନେ ଜୋରଦାର ହଙ୍ଗାମା କରିଛନ୍ତି। ମୌସୁମୀ ଅଧିବେଶନ ମଧ୍ୟ ଏଥିପାଇଁ ଠିକ୍‌ ଭାବେ ଚାଲି ପାରି ନାହିଁ। ବିରୋଧୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ବିଜେପି ସହ ମିଶି SIR ଜରିଆରେ ଭୋଟ ଚୋରି କରୁଛନ୍ତି। ଏହା ସହ ଅନେକ ଲୋକଙ୍କ ନାଁ କାଟି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଅଗଷ୍ଟ ୧ରେ ପ୍ରକାଶିତ ଭୋଟର ତାଲିକା ପରେ ଆୟୋଗ ରାଜନୈତିକ ଦଳ ଓ ସାଧାରଣ ନାଗରିକଙ୍କୁ ଅପିଲ୍‌ କରିଥିଲେ। ଯେଉଁମାନଙ୍କ ନାଁ କଟି ଯାଇଛି, ସେମାନେ ଆବଶ୍ୟକ ଦସ୍ତାବିଜ ଦେଇ ଭୋଟର ତାଲିକାରେ ସାମିଲ ହୋଇପାରିବେ। କିନ୍ତୁ ଏହି ଅପିଲ୍‌ ସତ୍ତ୍ୱେ କୌଣସି ରାଜନୈତିକ ଦଳ ଆପତ୍ତି ଦାଖଲ କରି ନାହାନ୍ତି।

ବିରୋଧୀ ନେତା ତେଜସ୍ୱୀ ଯାଦବ କିଛି ଦିନ ପୂର୍ବେ କହିଥିଲେ, ସେ ଓ ତାଙ୍କ ଦଳ ବିହାରରେ ଭୋଟ ଚୋରିକୁ କୌଣସି ମତେ ସଫଳ ହେବାକୁ ଦେବେ ନାହିଁ। ସେ ଏହା ବିରୋଧରେ ସ୍ୱର ଉଠାଇବେ। କିନ୍ତୁ ତେଜସ୍ୱୀ କିମ୍ବା ତାଙ୍କ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଆପତ୍ତି ଦାଖଲ ହୋଇ ନାହିଁ।

Comments are closed.