Latest Odisha News

ପୁଅ ଦେଖିଲା ମା’ର ବିବାହ, ସାରା ଦେଶରେ ଚହଳ ପକାଇଲା ବିଜେପି ନେତାଙ୍କ ବିବାହ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ। ହଠାତ ମୁର୍ଶିଦାବାଦ ହିଂସା ଖବର ବଦଳରେ ବିଜେପି ନେତାଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ । ବିଜେପିର ଜଣାଶୁଣା ନେତା ତଥା ପୂର୍ବତନ ସାଂସଦ ଦିଲୀପ ଘୋଷ (୬୦)ଙ୍କ ବାହାଘର ଖବର ବୁଧବାର ଦିନ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଦିଲୀପ ଘୋଷଙ୍କ ନାଁ ଯେତେବେଳେ ଜଣାପଡ଼ିଛି, ତାଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ନ ହେବ ବା କେମିତି! ଶୁଣିବାକୁ ମିଳିଛି, ତାଙ୍କ ବିବାହ ହେଉଛି ଦୀର୍ଘ ଦିନର ବିଜେପି କର୍ମୀ ରିଙ୍କୁ ମଜୁମଦାରଙ୍କ ସହ। ରିଙ୍କୁଙ୍କର ଏକ ୨୫ ବର୍ଷୀୟ ପୁତ୍ର ମଧ୍ୟ ଅଛନ୍ତି, ଯାହାଙ୍କ ନାମ ପ୍ରୀତମ ମଜୁମଦାର। ପ୍ରୀତମ ସଲ୍ଟଲେକରେ ଏକ ଆଇଟି କମ୍ପାନୀରେ କାମ କରନ୍ତି। କିନ୍ତୁ ମାଆଙ୍କ ବିବାହରେ ପୁତ୍ର ପ୍ରୀତମ ଅନୁପସ୍ଥିତ। ସେ କୋଲକାତା ବାହାରେ ରହିଛନ୍ତି। ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରୀତମ କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଅନୁପସ୍ଥିତିକୁ ନେଇ ଅନାବଶ୍ୟକ ଚର୍ଚ୍ଚା ନହେଉ। ବିବାହରେ ତାଙ୍କର ସମ୍ମତି ଅଛି କି ନାହିଁ ପ୍ରଶ୍ନରେ ସେ ଖୋଲାଖୋଲି କହିଛନ୍ତି, ତାଙ୍କର ପୂର୍ଣ୍ଣ ସମ୍ମତି ଅଛି ଏବଂ ସେ ଦିଲୀପ ଘୋଷଙ୍କୁ ବେଶ୍‌ ପସନ୍ଦ କରନ୍ତି। ତାଙ୍କ ମାଆ ରିଙ୍କୁ ଦିଲୀପଙ୍କ ସହ ଘର ବସାଉ ଥିବାରୁ ସେ ମଧ୍ୟ ଖୁସି। ଫୋନ୍‌ରେ ସେ କହିଛନ୍ତି, “ମୁଁ ଜାଣେ ମାଆଙ୍କ ବିବାହ ହେଉଛି। ମୋର ସମ୍ମତି ମଧ୍ୟ ଅଛି। ଏହି ଦିନ ପାଇଁ ମୁଁ ବହୁତ ଖୁସି। ମାଆଙ୍କ ପାଇଁ ବହୁତ ଖୁସି। ମାଆଙ୍କ ନିଷ୍ପତ୍ତିକୁ ମୁଁ ସବୁବେଳେ ସମର୍ଥନ କରିଆସିଛି ଏବଂ ଆଗକୁ ମଧ୍ୟ କରିବି।”

କିନ୍ତୁ ବିବାହର ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ସେ କାହିଁକି କୋଲକାତା ବାହାରେ ଅଛନ୍ତି? ପ୍ରୀତମ ବୁଝାଇଛନ୍ତି, “ମୁଁ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରେ। ମୋତେ ଖୁବ୍‌ କମ୍‌ ଛୁଟି ମିଳେ। ଗୁଡ୍‌ ଫ୍ରାଇଡେ ପାଇଁ ଛୁଟି ମିଳିଥିଲା, ତେଣୁ ମୁଁ ପୂର୍ବ ଯୋଜନା ଅନୁଯାୟୀ କୋଲକାତା ବାହାରକୁ ଆସିଛି। ମୁଁ ଥିଲେ ଭଲ ହୋଇଥା’ନ୍ତା, କିନ୍ତୁ ଏହା ମୋର ଆଗୁଆ ଯୋଜନା ଥିଲା।”

ସେ ସ୍ପଷ୍ଟ କରିଛନ୍ତି, “ମୋର କୋଲକାତାରେ ନ ଥାଇ କୌଣସି ଜଳ୍ପନାର ଆବଶ୍ୟକତା ନାହିଁ। ମୁଁ କୋଲକାତାରେ ଥିଲେ ନିଶ୍ଚିତ ବିବାହରେ ଉପସ୍ଥିତ ହୋଇଥା’ନ୍ତି। ମାଆ ବହୁତ ଖୁସି ହୋଇଥା’ନ୍ତେ, ଦିଲୀପ ଘୋଷ ମଧ୍ୟ ଖୁସି ହୋଇଥା’ନ୍ତେ। କିନ୍ତୁ ମୁଁ ଏହି ବିବାହରେ ପୂର୍ଣ୍ଣ ସମ୍ମତି ଦେଇଛି।” ସେ ମଧ୍ୟ ଖୋଲିଛନ୍ତି ଯେ, ସେ ଓ ଦିଲୀପ ଘୋଷ ଏକାଠି ଇଡେନ୍‌ ଗାର୍ଡେନ୍‌ସରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ସେ କହିଛନ୍ତି, “ଇଡେନ୍‌ରେ ଆମେ ଏକାଠି ଖେଳ ଦେଖିବାକୁ ଯାଇଥିଲୁ। ସେଠାରେ କଥାବାର୍ତ୍ତା ହୋଇଥିଲା। ତା’ ଆଗରୁ ଓ ପରେ ମଧ୍ୟ ଆଲୋଚନା ହୋଇଛି।”

ଏହି ବିବାହ ଖବର ପଶ୍ଚିମବଙ୍ଗ ସମେତ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.