Latest Odisha News

BREAKING NEWS

ଫେବ୍ରୁଆରି ୩ରୁ ଆରମ୍ଭ ହେବ ଭୁବନେଶ୍ୱର କାହାଣୀ ଉତ୍ସବର ତୃତୀୟ ସଂସ୍କରଣ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର କାହାଣୀ ଉତ୍ସବ ଭୁ-ଫେଷ୍ଟୋ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସଂସ୍କରଣରେ ବିଶ୍ୱ କଲ୍ୟାଣ ରଥ, ପ୍ରାଚୀ ତାରା ଓ ମୀରା ଦାସଙ୍କ ଭଳି ବିଶିଷ୍ଟ ମୌଖିକ କାହାଣୀକାରମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଆକର୍ଷଣୀୟ କାହାଣୀ ଅଧିବେଶନ ସହିତ ଅଂଶଗ୍ରହଣକାରୀମାନେ ଷ୍ଟାଣ୍ଡଅପ୍ କମେଡି, ନାଗରିକ କାହାଣୀ, ପ୍ରେରଣାଦାୟକ ଜୀବନ କାହାଣୀ ଏବଂ ଲୋକକଳାର ମଜା ନେଇପାରିବେ । ସମସ୍ତ ପରିବେଷଣ କେବଳ ଓଡ଼ିଆ ଭାଷାରେ ଅନୁଷ୍ଠିତ ହେବ।

ଭୁବନେଶ୍ୱର କାହାଣୀ ଉତ୍ସବ କେବଳ ଏକ ପର୍ବ ନୁହେଁ ବରଂ ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ପ୍ଲାଟଫର୍ମ । ଯେଉଁଥିରେ ସ୍କୁଲ, କଲେଜ ଏବଂ ବସ୍ତି ସମେତ ବିଭିନ୍ନ ଗୋଷ୍ଠୀ ଅଂଶଗ୍ରହଣ କରିପାରିବେ। ଦୃଷ୍ଟିହୀନ ଓ ଶ୍ରବଣ ହୀନ ଶ୍ରୋତାଙ୍କ ସୁବିଧା ପାଇଁ ସାଙ୍କେତିକ ଭାଷା ବ୍ୟବହାର କରି ଏକ ସ୍ୱତନ୍ତ୍ର କାହାଣୀ ଅଧିବେଶନ ଆୟୋଜନ କରାଯିବ, ଯାହା ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିବ ବୋଲି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।

ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ଯାଏଁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରାଜଧାନୀର ୪ଟି ସ୍ବତନ୍ତ୍ର ସ୍ଥାନ ଯଥା:- ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି, କଳିଙ୍ଗ ନଗରର ଏପିଜେ ଅବଦୁଲ କଲାମ ପାର୍କ ଓ ନୀଳାଦ୍ରି ବିହାରର ବୁଦ୍ଧ ଜୟନ୍ତୀ ପାର୍କରେ ଏକାସାଙ୍ଗରେ ଅନୁଷ୍ଠିତ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୁରୁଷ ହକି ବିଶ୍ୱକପ୍ ସମୟରେ ଡଟ୍ ଫେଷ୍ଟର ଏକ ଅଂଶ ଭାବରେ ଭୁବନେଶ୍ୱର କାହାଣୀ ଉତ୍ସବ ୨୦୧୮ରେ ଆରମ୍ଭ ହୋଇଥିଲା । ପରେ ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଅବସରରେ ଡଟ୍ ଫେଷ୍ଟର ଅଂଶ ଭାବରେ ଏହାର ଦ୍ୱିତୀୟ ସଂସ୍କରଣକୁ ଫେରିଥିଲା ।

Leave A Reply

Your email address will not be published.