Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା, ୧୦ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଆଜି ହୋଇଛି ଏକ ବଡ ଧରଣର ଆତଙ୍କୀ ହାମଲା । ଏହି ହମଲାରେ ୧୦ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଡେରା ଇସମାଇଲ ଖାନ ସ୍ଥିତ ଚୋଡୱାନ ପୋଲିସ ଷ୍ଟେସନରେ ଏହି ହମଲା କରିଛନ୍ତି ଆତଙ୍କବାଦୀ ।

ସୂଚନା ଅନୁସାରେ, ଆତଙ୍କବାଦୀମାନେ ଆଜି ସକାଳେ ଏହି ଘଟଣା ଘଟାଇଛନ୍ତି । ପ୍ରଥମେ କିଛି ଅଜ୍ଞାତ ଆତଙ୍କବାଦୀମାନେ ଲଗାତର ଭାବରେ ଗୁଳି ଚଳାଇ ଚୋଡୱାନ ପୋଲିସ ଷ୍ଟେସନରେ ପ୍ରବେଶ କରିଥିଲେ । ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇବା ସହ ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଫୋପାଡିଥିଲେ । ଏହି ଆକ୍ରମଣରେ ୧୦ ଜଣ ପୋଲିସ ପ୍ରାଣ ହରାଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପଛରେ କାହାର ହାତ ଅଛି ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ବିଶ୍ଵାସ କରାଯାଉଛି । ତେବେ ଆକ୍ରମଣ ପରେ ଏଠାରେ ସତର୍କ ହୋଇପଡିଛି ସ୍ଥାନୀୟ ପ୍ରଶାସନ । ଦକ୍ଷିଣ ୱାଜିରିସ୍ତାନ ଆଦିବାସୀ ଜିଲ୍ଲା ଏବଂ ଡେରା ଗାଜୀ ଖାନକୁ ଯାଉଥିବା ରାସ୍ତାରେ ଚଳାଇଛି ବ୍ୟାପକ ସର୍ଚ୍ଚ ଅପରେସନ । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।

 

 

Leave A Reply

Your email address will not be published.