Latest Odisha News

BREAKING NEWS

୧୦୫ କିଲୋ ଚନ୍ଦନ କାଠ ଜବତ,୩ ଗିରଫ

କାଶୀନଗର: ଚନ୍ଦନ କାଠ ଚୋରାଚାଲାଣବେଳେ କାବୁ କଲା ପୋଲିସ । ପାରଳାଖେମୁଣ୍ଡି-ଗୁଣୁପୁର ରାଜ୍ୟ ରାଜପଥର ଖାରଡ଼ା ଛକ ନିକଟରେ ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୦୫ କିଲୋ ଚନ୍ଦନ କାଠ କାଶୀନଗର ଥାନା ପୋଲିସ ଜବତ କରିଛି । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।

ଚୋରା ଚାଲାର ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁସୁମୀ ଗ୍ରାମର ସିରାଜ ଖାନ୍‌, ଆକ୍ରମ ଖାନ୍‌ ଏବଂ ଗଜପତି ଜିଲ୍ଲା ରାମଗିରି ଥାନା ସାନସଦା ଗ୍ରାମର ଦାମୋଦର ପ୍ରଧାନ।

ଚନ୍ଦନ କାଠ ସହ ୩ଟି ମୋବାଇଲ୍‌ ଫୋନ୍‌, ୪ ହଜାର ଟଙ୍କା ନଗଦ ଓ ଅଟୋକୁ ପୋଲିସ ଜବତ କରିଛି।

କାଶୀନଗର ଥାନା ଏସ୍‌ଆଇ ଆର୍‌.କେ. ଚୌଧୁରୀଙ୍କ ନେତୃତ୍ୱରେ ଟିମ୍‌ ଗୁରୁବାର ସକାଳୁ ଖାରଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଅଟୋରେ ଚୋରା ସାମଗ୍ରୀ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଉକ୍ତ ଅଟୋଟି ସେହି ରାସ୍ତାରେ ଆସୁଥିବା ଦେଖି ଅଟକାଇଥିଲା ପୋଲିସ। ପୋଲିସ ଗାଡ଼ିକୁ ଦେଖି ଅଟୋ ଚାଳକ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ପୋଲିସ କାବୁ କରିଥିଲା। ଅଟୋ (ଓଡି-୦୫ ଏମ୍‌ ୦୭୮୭) ଯାଞ୍ଚ କରାଯିବାରୁ ୫ଟି ବ୍ୟାଗ୍‌ ଭିତରେ ଚନ୍ଦନ କାଠ ରଖାଯାଇଥିବା ଜଣାପଡ଼ିଥିଲା।

ଚନ୍ଦନ କାଠ କେଉଁଠାରୁ ଆସିଥିଲା ଏବଂ ଏହା କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ କରୁଛି ପୋଲିସ ।

Comments are closed.