Latest Odisha News

BREAKING NEWS

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଭାରରେ ବୋହି ପ୍ରସୂତିଙ୍କୁ ମେଡିକାଲ ଆଣିଲେ ୧୦୮ କର୍ମଚାରୀ

ବାଲିଗୁଡ଼ା: ଗାଁ ଅଛି ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପଞ୍ଚାୟତ ଟେଟ୍ରେ ଗାଁର ଆରତୀ ମଲିକଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆଶା କର୍ମୀ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଫୋନ୍ କଲ୍ ପାଇବା ପରେ ବାଲିଗୁଡ଼ାରୁ ୧୦୮ ଆମ୍ବୁଲାନ୍ସ ନେଇ ଡ୍ରାଇଭର ଜିତୁ ମାଝୀ ଟେଟ୍ରେ ଗାଁ ଅଭିମୁଖେ ଯାଇଲେ ।

ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରାୟ ୨ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଜିତୁ ମାଝୀ ଟେଟ୍ରେ ଗାଁକୁ ଯାଇଥିଲେ । ଆଶାକର୍ମୀ ଓ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଜଙ୍ଗଲ ରାସ୍ତାରେ ନାଳ ଓ ଅଙ୍କାବଙ୍କା ରାସ୍ତା ପାର କରି ବଡ଼ କଷ୍ଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ସାରଙ୍ଗଡ଼ ଡାକ୍ତରଖାନାରେ ପହଞ୍ଚାଇ ଥିଲେ ।

ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ଡ୍ରାଇଭର ଜିତୁ ମାଝୀ ଓ ଆଶା କର୍ମୀ ଦେବଦୂତ ସାଜି ତାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ପହଞ୍ଚାଇ ଥିବାରୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି । ସାରଙ୍ଗଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରଖାନରେ ଆରତୀ ସୁରକ୍ଷିତ ଭାବେ ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି । ଆମ୍ବୁଲାନ୍ସ କର୍ମଚାରୀ ଜିତୁଙ୍କ ନିଃସ୍ଵାର୍ଥପର ସେବା ପାଇଁ ସବୁ ବର୍ଗରୁ ତାଙ୍କୁ ପ୍ରଶଂସାର ସୁଆ ଛୁଟୁଛି ।

Leave A Reply

Your email address will not be published.