Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚଢ଼ା ଦରରେ ବାହାରୁ ଚାଷୀ କିଣିଥିଲେ ସାର, ସିଞ୍ଚନ ପରେ ମରି ଯାଉଛି ଧାନ ଗଛ

ନୂଆପଡ଼ା: ସାର ଉଜାଡ଼ି ଦେଲା ଚାଷ । ଚିନ୍ତାରେ ନୂଆପଡ଼ାର ଚାଷୀ । ମୌସୁମୀ ବର୍ଷା ପରେ ଚାଷୀ ଉତ୍ସାହର ସହ ଚାଷ ଆରମ୍ଭ କରିଥିଲେ । ଧାନ ପାଇଁ ବେଉଷଣ କରିଥିଲେ ହେଲେ ସରକାରୀ ସାର ମିଳି ନଥିଲା । ଫଳରେ ଚାଷୀ ବାହାରୁ ଚଢ଼ା ଦରରେ ସାର କିଣି ଜମିରେ ବ୍ୟବହାର କରିଥିଲେ । ହେଲେ ସାର ପ୍ରୟୋଗର ୧୫ରୁ ୨୦ ଦିନ ପରେ ବି ଫଳ ଶୂନ । ଧାନ ଗଛ ବଢ଼ିବା ବଦଳରେ ହଳଦିଆ ରଙ୍ଗ ହୋଇ ମରିବାକୁ ଲାଗିଲାଣି । ଏନେଇ ଚାଷୀ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଯୋଗାଯୋଗ କରିଥିଲେ ବି କୌଣସି ସହଯୋଗ ମିଳୁନି ।

ଖଡ଼ିଆଳ ବ୍ଲକ ମହୁଳମୁଣ୍ଡା ଗାଁର ପ୍ରାୟ ସମସ୍ତ ଚାଷୀ ଧାନ ବେଉଷଣ କରି ସ୍ଥାନୀୟ ଖୁଦପେଜ ଗାଁର ପଣ୍ଡା ଫର୍ଟିଲାଇଜରରୁ ବିଭିନ୍ନ ପ୍ରକାର ଡିଏପି ସାର ଚଢ଼ା ଦରରେ କିଣି ସିଞ୍ଚନ କରିଥିଲେ । ଅର୍ଣ୍ଣଦାତା, ଗଙ୍ଗା, କିଷାନ ଡିଏପି ସାର ଯାହାର ବଜାର ଦର ନଅ ଶହରୁ ହଜାରେ ଟଙ୍କା ଥିବାବେଳେ ଚାଷୀ ୧୬୦୦ରୁ ୧୭୦୦ ଟଙ୍କା ଦେଇ କିଣିଥିଲେ । ଆଶା ଥିଲା ଧାନ ଚାଷରେ ଭଲ ଅମଳ ହେବ । ହେଲେ ଗଛ ମରି ଯାଉଥିବାରୁ କୃଷି ବିଭାଗ ବିକଳ୍ପ ଔଷଧ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ଚାଷୀ ।

ଏନେଇ ଆମେ ଖଡ଼ିଆଳ କୃଷି ଅଧିକାରୀଙ୍କୁ ଜଣାଇବା ପରେ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି । କେବେ ମରୁଡ଼ି ତ କେବେ ନକଲି ବିହନ ଆଉ କେବେ ଚଢ଼ା ଦରରେ ନକଲି ସାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗାଁର ଶତାଧିକ ଚାଷୀ ଅପମିଶ୍ରିତ ସାର ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.