Latest Odisha News

ଗୋଦାବରୀ ନଦୀରେ ବୁଡ଼ିଲା ଯାତ୍ରୀବାହି ଡଙ୍ଗା, ୧୧ ମୃତ

ଦେବିପଟନମ୍: ଆନ୍ଧ୍ରପ୍ରଦେଶର ଦେବିପଟନମ୍ ନିକଟରେ ଗୋଦାବରୀ ନଦୀରେ ରବିବାର ଦିନ ଏକ ଯାତ୍ରୀବାହି ଡଙ୍ଗା(ଟ୍ୟୁରିଷ୍ଟ ବୋଟ୍) ବୁଡି ଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଟ୍ୟୁରିଷ୍ଟ ବୋଟରେ ଥିବା ୬୧ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୩୦ ସଦସ୍ୟ ବିଶିଷ୍ଟ ଦୁଇଟି ଏନଡିଆରଏଫ ଟିମକୁ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ପଠାଯାଇଛି । ଏହାସହ ଏକ ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏଯାବତ ୨୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି ।

ଡଙ୍ଗାରେ ଥିବା ଅଧିକାଂଶ ପର୍ଯ୍ୟଟକ ରାଜକୁନ୍ଦରୀ ଠାରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥାନ ପପିକୋନ୍ଦାଲୁକୁ ବୁଲିବାକୁ ଯାଉଥିଲେ । ନିକଟରେ ଗୋଦାବରୀ ନଦୀରେ ବନ୍ୟାଜଳ ପ୍ରବେଶ କରିଥିଲା । ଯାହାଫଳରେ ଏହି ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଥିଲା ।

ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ପାଖରେ ପର୍ଯ୍ୟଟନ ବିଭାଗର ଲାଇସେନ୍ସ ନାହିଁ , ମାତ୍ର କାକିନାଡ଼ା ବନ୍ଦର ଠାରୁ ଏହାକୁ ଅନୁମତି ମିଳିଥିବା ପର୍ଯ୍ୟଟନ ମନ୍ତ୍ରୀ ମୁଥମସେଟ୍ଟୀ ଶ୍ରୀନିବାସ ରାଓ କହିଛନ୍ତି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଡଙ୍ଗା ମାଲିକ କହିଛନ୍ତି ଯେ, ମାତ୍ର ୬୧ ଜଣଙ୍କୁ ନେଇ ଯାତ୍ରା କରୁଥିବା ଏହି ଡଙ୍ଗାଟିରେ ୯୦ ଜଣ ପର୍ଯ୍ୟନ୍ତ ଯାତ୍ରୀ ନେଇଯିବାର କ୍ଷମତା ରହିଛି । ନଦୀ ଭିତରେ ଦୁର୍ଘଟଣା ଘଟିଥିବା ସ୍ଥାନଟିରେ ଭଉଁରୀ ଥିବାରୁ ଏହା ଏକ ଅତି ସମ୍ବେଦନଶୀଳ ଘଟଣା ଅଟେ ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.