Latest Odisha News

BREAKING NEWS

ଏହିସବୁ ସରକାରୀ ସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ; କଳା ଓ ବିଜ୍ଞାନରେ ନାମ ଲେଖାଇବେ ପିଲା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ଏଥି ମଧ୍ଯରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏନେଇ   ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଏହି ସୂଚନା ଅନୁଯାୟୀ, ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖାପାଇଁ ବୃଦ୍ଧି ପାଇବ ।  ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିବେ । ଏଥି ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଉଥିବା କୁହାଯାଇଛି   ।

କଳା ବିଭାଗ ଖୋଲୁଥିବା  ବିଦ୍ୟାଳୟ ମଧ୍ୟରେ ରହିଛି ଅନୁଗୁଳ ଓ  ବାଲେଶ୍ବରର ଗୋଟିଏ ଲେଖାଏ ସ୍କୁଲ,  ବରଗଡ଼ ଜିଲ୍ଲାରେ ୨ଟି, ଭଦ୍ରକରେ ଗୋଟିଏ, ବଲାଙ୍ଗୀରରେ ୮ ଟି, ଦେଓଗଡ଼ରେ ୪ଟି, ବୌଦ୍ଧରେ ୨ଟି, କଟକରେ ୨ଟି, ଢ଼େଙ୍କାନାଳରେ ଗୋଟିଏ , ଗଜପତିରେ ୨ଟି, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ଗୋଟିଏ, ଝାରସୁଗୁଡ଼ାରେ ଗୋଟିଏ, କଳାହାଣ୍ଡିରେ ୮ ଟି, କନ୍ଧମାଳରେ ୪ଟି ବିଦ୍ୟାଳୟ।

ସେହିପରି କେନ୍ଦ୍ରାପଡ଼ାରେ ୨ଟି, କେନ୍ଦୁଝରରେ 6ଟି, ଖୋର୍ଦ୍ଧାରେ ଗୋଟିଏ , କୋରାପୁଟରେ ୪ଟି , ମାଲକାନଗିରିରେ ୬ଟି, ମୟୂରଭଞ୍ଜରେ ୨ଟି, ନବରଙ୍ଗପୁରରେ ୭ ଟି, ନୟାଗଡ଼ରେ ଗୋଟିଏ, ନୂଆପଡ଼ାରେ ୬ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ ୪ଟି, ସୋନପୁରରେ ଗୋଟିଏ , ସମ୍ବଲପୁରରେ ୪ଟି ଏବଂ ସୁନ୍ଦରଗଡରେ ୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ୍ କଳାବିଭାଗ ଖୋଲାଯିବ ।

ବିଜ୍ଞାନ ବିଭାଗ ଖୋଲୁଥିବା ୬ଟି ସ୍କୁଲ ମଧ୍ୟରେ  ରାୟଗଡ଼ା କୋରାପୁଟ, ଗଜପତି ଏବଂ ମାଲକାନଗିରିରେ ଗୋଟିଏ ଲେଖାଏଁ ସ୍କୁଲ, ନବରଙ୍ଗପୁରରେ ଦୁଇଟି  ସ୍କୁଲ ରହିଛି।

ଚଳିତ ମାସ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.