Delimitation Bill Sparks: ପରିସୀମନ ବିଲ୍କୁ ନେଇ INDIA ମେଣ୍ଟରେ ଫାଟ! କଂଗ୍ରେସ ବୈଠକରେ NCP ଗାଏବ, ମୋଦୀ ସରକାରଙ୍କ ବିଲ୍କୁ DMKର ସମର୍ଥନ, BJD ଉପରେ ନଜର…
ନୂଆଦିଲ୍ଲୀ: ପରିସୀମା ବିଲ୍କୁ ନେଇ ଜାତୀୟ ରାଜନୀତିରେ ହଲଚଲ। ମୋଦୀ ସରକାର ବିଲ୍କୁ ନେଇ ପ୍ରସ୍ତୁତି ଶେଷ କରିଥିବା ବେଳେ ବିରୋଧୀ INDIA ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ପରେ ସମସ୍ତ ସାଂସଦଙ୍କୁ ବିଲ୍ର କପି ଦିଆଯାଇଛି। ନଭେମ୍ବର ୩୦ରେ ଲୋକସଭାରେ ଏହା ଆଗତ ହେବ। ନୂଆ ପ୍ରସ୍ତାବ ଅନୁସାରେ ଲୋକସଭା ଆସନ ୫୦ ପ୍ରତିଶତ ବଢ଼ିବ, କିନ୍ତୁ ସର୍ବାଧିକ ଆସନ ସଂଖ୍ୟା ୮୫୦ରେ ସୀମିତ ରହିବ। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଆସନ ସଂଖ୍ୟା ସ୍ଥିର ରଖିବାର ପ୍ରସ୍ତାବ ରହିଛି। ବିଧାନସଭା ଆସନ ମଧ୍ୟ ୫୦ ପ୍ରତିଶତ ବଢ଼ିବ ଏବଂ ସର୍ବାଧିକ ସୀମା ୬୫୦ ରହିବ। ଏହା ସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହେବାର ରାସ୍ତା ଖୋଲିବ। ପ୍ରାୟ ୨୭୨ଟି ଲୋକସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇପାରେ। ବିଲ୍ରେ ପାକ୍ ଅଧିକୃତ କାଶ୍ମୀର (PoK)ର ଉଲ୍ଲେଖ ମଧ୍ୟ ରହିଛି।
ଯାହାକୁ ନେଇ ଏବେ ଇଣ୍ଡି ମେଣ୍ଟରେ ମତଭେଦ ଦେଖିବାକୁ ମିଳିଲାଣି । ଗୋଟିଏ ପଟେ କଂଗ୍ରେସ ବିଲ୍କୁ ନେଇ ଆପତ୍ତି ଉଠାଉଥିବା ବେଳେ ଅନ୍ୟପଟେ ଶରଦ ପାୱାରଙ୍କ NCP (SP) ସର୍ତ୍ତମୂଳକ ସମର୍ଥନ ଘୋଷଣା କରିଛି। ଫଳରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ INDIA ମେଣ୍ଟର ଏକତା ଉପରେ ପ୍ରଶ୍ନ ଉଠିଛି। ଏପଟେ ଆଜି(ଶନିବାର) କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବିରୋଧୀ ଦଳର ବୈଠକ ଆରମ୍ଭ ହୋଇଛି। ପ୍ରିୟଙ୍କା ଗାନ୍ଧୀ, RJDର ମନୋଜ ଝା ଓ ଅଭୟ କୁଶୱାହା, TMCର ଅଭିଷେକ ବାନାର୍ଜୀ ଓ ଡେରେକ୍ ଓ’ବ୍ରାଏନ୍, ସମାଜବାଦୀ ପାର୍ଟି ଓ ଶିବସେନା (UBT)ର ନେତାମାନେ ଯୋଗ ଦେଇଛନ୍ତି। କିନ୍ତୁ ଶରଦ ପାୱାରଙ୍କ NCP (SP)ର ଜଣେ ହେଲେ ନେତା ଏହି ବୈଠକରେ ପହଞ୍ଚିନାହାନ୍ତି। ଅସୁସ୍ଥ ଶରଦ ପାୱାର ମୁମ୍ବାଇ ହସ୍ପିଟାଲରେ ଥିବାବେଳେ ସୁପ୍ରିୟା ସୁଲେ ମଧ୍ୟ ସେଠାରେ ଅଛନ୍ତି। ସୂଚନା ଅନୁସାରେ NCPର ସମସ୍ତ ସାଂସଦ ସୁପ୍ରିୟାଙ୍କୁ ଫୋନ୍ କରି ନିଷ୍ପତ୍ତି ଜଣାଇବାକୁ କହିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ଶରଦ ପାୱାରଙ୍କୁ ମନେ ପକାଇ ଦେଇଛି ଯେ ରାଜ୍ୟସଭା ନିର୍ବାଚନରେ ତାଙ୍କୁ ଜିତାଇବା ପାଇଁ କଂଗ୍ରେସ ନିଜ ଆସନ ଛାଡ଼ିଥିଲା। ଏବେ ବିଜେପି ସରକାରଙ୍କୁ ସମର୍ଥନ କରିବା ନିଷ୍ପତ୍ତିକୁ ଦଳ ନାପସନ୍ଦ କରିଛି। ଏବେ ସେହି ପାୱାର ବିଜେପି ସରକାରଙ୍କ ବିଲ୍କୁ ସମର୍ଥନ କରୁଥିବାରୁ କଂଗ୍ରେସ ଏହାକୁ ରାଜନୈତିକ ବିଶ୍ୱାସଘାତ ବୋଲି ଦର୍ଶାଇଛି। NCP ନେତା ଜିତେନ୍ଦ୍ର ଆହ୍ୱାଡ୍ ପୂର୍ବରୁ ବିଲ୍କୁ ସମର୍ଥନ କରିବାର ସଙ୍କେତ ଦେଇଥିଲେ।
ଅନ୍ୟପଟେ DMK ମୁଖ୍ୟ ଏମ୍.କେ. ଷ୍ଟାଲିନ୍ ବିଲ୍କୁ ସମର୍ଥନ ଘୋଷଣା କରିଛନ୍ତି। ତାମିଲନାଡୁର ଦାବି ମାନି ନିଆଯାଇଥିବାରୁ ଦଳ ଏହାକୁ ସମର୍ଥନ କରିବ ବୋଲି କହିଛି। ଦୟାନିଧି ମାରନ୍ ମଧ୍ୟ କହିଛନ୍ତି, ୫୦ ପ୍ରତିଶତ ଆସନ ବୃଦ୍ଧି ଯୋଗୁଁ ଦକ୍ଷିଣ ରାଜ୍ୟଗୁଡ଼ିକର କ୍ଷତି ହେବ ନାହିଁ। ତେବେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ତେବେ BJD ମଧ୍ୟ ଏହି ବୈଠକରେ ଯୋଗ ଦେବ ନାହିଁ ବୋଲି ଜଣାପଡ଼ିଛି। ଓଡ଼ିଶାର ଲୋକସଭା ଆସନ ୨୧ରୁ ୩୨ ଓ ବିଧାନସଭା ଆସନ ୧୪୭ରୁ ୨୨୧ ହେବାର ପ୍ରସ୍ତାବ ପରେ ଦଳ ସମର୍ଥନ ଆଭିମୁଖ୍ୟ ଦେଖାଇଛି। ତେବେ ଏବେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି।
ଏବେ ନଜର ନଭେମ୍ବର ୩୦ର ଲୋକସଭା ଅଧିବେଶନ ଉପରେ। ବିରୋଧୀଙ୍କ ମତଭେଦ ମଧ୍ୟରେ ସରକାର ବିଲ୍କୁ ଦୁଇ-ତୃତୀୟାଂଶ ସମର୍ଥନରେ ପାରିତ କରାଇପାରିବେ କି ନାହିଁ, ତାହା ହିଁ ବଡ଼ ପ୍ରଶ୍ନ।
ସୂଚନାଯୋଗ୍ୟ, ନଭେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପରିସୀମା ଓ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍କୁ ମଞ୍ଜୁରୀ ଦେଇଛି। ଏଥିରେ ଲୋକସଭା ଆସନ ୫୦% ବୃଦ୍ଧି, ରାଜ୍ୟଗୁଡ଼ିକର ଆସନ ଅନୁପାତ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରଖିବା ଏବଂ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବାର ପ୍ରସ୍ତାବ ରହିଛି। ନଭେମ୍ବର ୩୦ରୁ ଲୋକସଭା ଏବଂ ଡିସେମ୍ବର ୨ରୁ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନରେ ଏହା ଆଲୋଚନାକୁ ଆସିବ। ଏପ୍ରିଲରେ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ନମିଳିବାରୁ ପୂର୍ବ ବିଲ୍ ପାରିତ ହୋଇପାରିନଥିଲା।
