କଟକ: ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟଣା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗଣେଶ ଘାଟ ଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସର ସାହି ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ। ଅନ୍ୟପଟେ ପରିସ୍ଥିତି ଏବେ ସ୍ୱାଭାବିକ ଅଛି। ବର୍ତ୍ତମାନ ଯାଏଁ ୨୧ ଜଣଙ୍କୁ ଅଟକ ରଖାଯାଇଛି। ଏକାଧିକ ପୋଲିସ ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ।
ସୂଚନା ଅନୁସାରେ କଟକ ପୁରୀଘାଟ ଥାନା ଅନ୍ତର୍ଗତ ଗଣେଶ ଘାଟ ଅଞ୍ଚଳରେ ଦୁଇ ସାହି ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଓ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୨୧ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଶୁକ୍ରବାର (ନଭେମ୍ବର ୨୭, ୨୦୨୬) ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ପୁରୀଘାଟ ଥାନା ଅଧୀନସ୍ଥ ସନ୍ସାଇନ ଗ୍ରାଉଣ୍ଡ ଓ ଗଣେଶ ଘାଟ ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା।
ପୁରୀଘାଟ ବୁରୁଜ ସାହି ଏବଂ ଗଣେଶ ଘାଟ ସାମଲ ସାହିର ଯୁବକମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ଶୁକ୍ରବାର ସନ୍ଧ୍ୟାରେ ଏକ ମଦ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ଓ ଠେଲାପେଲା ହୋଇଥିଲା, ଯାହା ପରେ ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପର ଉପରକୁ ଢେଲାପଥର, ଇଟା, କାଚ ବୋତଲ ମାଡ଼ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ (ଓରଫ ବୁଲୁ)ଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଓ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। କିଛି ଦୋକାନ ଓ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଛି।
ଖବର ପାଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ବ୍ୟାପକ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ପୁରୀଘାଟ ଥାନା ପୁଲିସ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗଣେଶ ଘାଟ ଛକରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୁତୟନ କରାଯାଇଛି।
