Latest Odisha News

ମାଆ ପାଇଁ ବାପାକୁ ହତ୍ୟା, ଅନିଶ୍ଚିତତା ଘେରରେ ଝିଅର ଭବିଷ୍ୟତ !

ମଧ୍ୟପ୍ରଦେଶ: ଭୋପାଳରେ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଘଟଣା । ମାଆ ପାଇଁ ବାପାକୁ ଅତି ନିର୍ମମ ଭାବେ ହତ୍ୟା । ହେଲେ ଜେଲ ଦଣ୍ଡାଦେଶ ମିଳିଛି ନାବାଳିକା ଝିଅକୁ । ଏହି ଖବର ମଧ୍ୟପ୍ରଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ପ୍ରଛଦପଟ୍ଟ କାହାଣୀ ତଦନ୍ତକାରୀ ପୋଲିସକୁ ବି ତାଜୁବ କରିଛି ।

ବୁଧବାର ଜଣେ ଝିଅ ତା ବାପାକୁ କପଡା ଧୁଆ କାଠ ପଟାରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ତେବେ ସଉକ କି ପ୍ରେମ କାହାଣୀ ନୁହେଁ । ବରଂ ନିଜ ମାଆ ପ୍ରତି ହେଉଥିବା ଅତ୍ୟାଚାରକୁ ରୋକିବା ଲାଗି କିଛି ଏପରି କରିଥିଲା ଅସହାୟ ନାବାଳିକା । ହତ୍ୟାକାଣ୍ଡ ପରେ ଖୋଦ ନାବାଳିକା ୧୦୦ ନମ୍ବରକୁ ଫୋନ୍ ଡାଏଲ୍ କରି ଆତ୍ମସମର୍ପଣ କରିଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ନାବାଳିକାର ବାପା ବେରୋଜଗାର ଥିଲା । ବଡ ପୁଅ ମିସ୍ତ୍ରୀ ଭାବେ କାମ କରି ଘରର ଖର୍ଚ୍ଚ ବହନ କରୁଥିଲା । ପୁଅର ଅଳ୍ପ ଆୟରେ ବି ବାପା ଦିନରାତି ମଦ ନିଶାରେ ବୁଡି ରହୁଥିଲା । ସବୁଦିନ ଭଳି ବୁଧବାର ସଂଧ୍ୟାରେ ବି ମଦ ନିଶାରେ ନାବାଳିକାର ବାପା ଘରକୁ ଫେରିଥିଲା । ପୂର୍ବପରି ତା ମାଆକୁ ଗାଳିଗୁଲଜ କରିବା ସହ ମାରଧର ବି କରିଥିଲା ।

ନାବାଳିକା ପାଇଁ ଏହି ଘଟଣା କିଛି ନୂଆ ନଥିଲେ ବି ସେଦିନ ନିଜ ମାଆ ପ୍ରତି ହେଉଥିବା ଅତ୍ୟାଚାରକୁ ସେ ସହିପାରିନଥିଲା । ପାଖରେ ପଡିଥିବା ଏକ କାଠପଟାରେ ତା ବାପାର ମୁଣ୍ଡକୁ ଶକ୍ତ ପ୍ରହାର କରି ହତ୍ୟା କରିଥିଲା । ତଦନ୍ତରୁ ଜଣାପଡିଛି ଘଟଣା ସମୟରେ ନାବାଳିକାର ବଡ ଭାଇ ଘରେ ଉପସ୍ଥିତ ନଥିଲା । ଏହି ଘଟଣାକୁ ନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲାବେଳେ ଅଭିଯୁକ୍ତ ନାବାଳିକାକୁ ଗିରଫ କରି ଜୁଭେନାଇଲ କୋର୍ଟରେ ହାଜର କରିଛି ।

Leave A Reply

Your email address will not be published.