Latest Odisha News

BREAKING NEWS

ନବ ରୂପେ ମା ନବ ଦୁର୍ଗା

✍️ସୁପ୍ରିୟା ପଣ୍ଡା

ପାର୍ବଣ ଋତୁର ଦୁନ୍ଦୁଭି ବାଜିବ                                                         
ତୁମ ଆଗମନୀ ହୋଇବ
ଅବତରୀ ଆସି ଏ ଧରା ପୃଷ୍ଠରେ
ଜୀବନରେ ପ୍ରାଣ ସଞ୍ଚିବ ।

ନବ ଦିନେ ନିତ୍ୟ ନବ ରୂପରେ
ଦର୍ଶନ ତୁମର ହୋଇବ
ମହିଷାମର୍ଦ୍ଧିନି ହେ ସିଂହବାହିନୀ
ରୂପ ତୁମର ଦିଶିବ ।

ପ୍ରଥମ ଦିବସେ ଶୈଳ ପୁତ୍ରୀ ରୂପେ
ମନବାଞ୍ଛା ପୂର୍ଣ୍ଣ କରିବ
ତ୍ରିଶୂଳ ଧାରିଣୀ ମା ବୃଷଭ ବାହିନୀ
ଅର୍ଦ୍ଧ ଚନ୍ଦ୍ର ଶୋଭା ପାଇବ ।

ଦ୍ଵିତୀୟ ବେଶରେ ବ୍ରହ୍ମଚାରିଣୀ ମା
ହାତେ କମଣ୍ଡଲୁ ଧରିବ
ଅକ୍ଷର ମାଳା ତୁମ ଦକ୍ଷିଣ ହସ୍ତରେ
ତପସ୍ୱିନୀ ରୂପ ଦିଶିବ।

ତୃତୀୟ ଦିବସେ ଚନ୍ଦ୍ରଘଣ୍ଟା ନାମ
ଶସ୍ତ୍ରେ ସଜ୍ଜିତ ହୋଇବ
ଘଣ୍ଟା ସ୍ୱରୂପେ ମା ମସ୍ତକେ ତୁମ
ଚନ୍ଦ୍ର କି ଶୋଭା ପାଇବ।

ଚତୁର୍ଥେ କୁଷ୍ମାଣ୍ଡା ରୂପ ନେଇ ମାତା
ଅମୃତ କଳସୀ ଧରିବ
ସୃଷ୍ଟି ନିର୍ମାଣେ ମା ସହଭାଗୀ ହୋଇ
ବ୍ରହ୍ମାଣ୍ଡ ରଚନା କରିବ।

ପଞ୍ଚମେ ତୁମର ସ୍କନ୍ଦମାତା ବେଶ
ସ୍କନ୍ଦ ଅଙ୍କରେ ରଖିବ
ସୌର ମଣ୍ଡଳ ଅଧିଷ୍ଠାତ୍ରୀ ଦେବୀ
ହସ୍ତେ କମଳ ଧରିବ।

ଷଷ୍ଠ ରେ ମା ତୁମ କାତ୍ୟାୟନି ବେଶ
ସ୍ବର୍ଣ୍ଣାଭ ରୂପ ଶୋଭିବ
ଧର୍ମ, ଅର୍ଥ, କାମ, ମୋକ୍ଷ ପରୁଷାର୍ଥ
ସତେକି ପ୍ରାପ୍ତି ହୋଇବ ।

ସପ୍ତମ ରୂପ ତୁମ କାଳରାତ୍ରି ର ମା
ଦିବ୍ୟ ରୂପେ ଅବତରିବ
ଆସୁରିକ ଶକ୍ତି ବିନାଶ ପଥରେ
ଖଡ୍ଗ ହସ୍ତରେ ଧରିବ ।

ଅଷ୍ଟମରେ ରୂପ ମାହାଗୌରୀ ମାତା
ଶୁଭ୍ର ସୁକୋମଳ ଦିଶିବ
ମନ୍ଦାକିନିର ବିଧୌତ ମନ୍ତ୍ରେ କି
ଶ୍ୱେତ ଅଳଙ୍କାର ପିନ୍ଧିବ।

ନବମ ରୂପରେ ମା ସିଦ୍ଧିଦାତ୍ରୀ ତୁମେ
କମଳ ପୁଷ୍ପେ ବିରାଜିବ
ଅଷ୍ଟସିଦ୍ଧି ର ମା ଆୟତ୍ତର ମାର୍ଗ
ତୁମେ ପ୍ରଶସ୍ତ କରିବ ।

ପ୍ରତିଟି ରୂପରେ ପ୍ରତିବିମ୍ବ ପରି
ସକଳ ଘଟରେ ବସିବ
ଜଗତଜନନୀ ମା ସଙ୍କଟ ତାରିଣୀ
ବିଶ୍ୱ ର କଲ୍ୟାଣ କରିବ।

ରସୁଲଗଡ଼, ଭୁବନେଶ୍ୱର

Leave A Reply

Your email address will not be published.