ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ପ୍ରତିନିଧି ଦଳ ଆଜି ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଆଗାମୀ ୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା । ଆଜି ଦ୍ବିପହରରେ ସମ୍ବାଦିକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଫେବୃଆରୀ ୪ ତାରିଖରୁ ଆସିଥିବା ଏହି ୧୫ ଜଣିଆ ଟିମ୍ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୭ ତାରିଖରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ସଦସ୍ୟମାନେ ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ଗସ୍ତରେ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହ ସହରର ଉନ୍ନତୀକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।
ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ। ଏହି ଟିମ୍ ରାଜ୍ୟର ବିଭିନ୍ନ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ।
Comments are closed.